ସୁପର ଓଭରରେ ଜିତିଲା ଦିଲ୍ଲୀ
1 min readଦୁବାଇ: ଚଳିତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ ରବିବାର ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେଏଲ୍ ରାହୁଲ୍ଙ୍କ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଟାଇ ରହିବା ପରେ ଦିଲ୍ଲୀ ବାଜି ମାରିନେଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ। କାଗିସୋ ରବାଦାଙ୍କ ପ୍ରଥମ ବଲ୍ରେ କେଏଲ୍ ରାହୁଲ ୨ ରନ୍ ନେଇଥିଲେ। ଏହାର ପର ବଲ୍ରେ ତାଙ୍କୁ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିବା ରବାଦା ତୃତୀୟ ବଲ୍ରେ ନିକୋଲାସ୍ ପୂରନ୍ଙ୍କୁ ବୋଲ୍ଡ କରିଦେଇଥିଲେ। ଫଳରେ ପଞ୍ଜାବ ସ୍କୋର୍ ୨ ୱିକେଟ୍ ବିନିମୟରେ ୨ ରନ୍ ହୋଇଥିଲା। ମାମୁଲି ୩ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଋଷଭ ପନ୍ତ୍ ଓ ଶ୍ରେୟସ ଆୟର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ମହମ୍ମଦ ସାମି ବୋଲିଂ ଭାର ସମ୍ଭାଳିଥିଲେ। ପ୍ରଥମ ବଲ୍ରେ କୌଣସି ରନ୍ ଦେଇନଥିଲା ବେଳେ ଦ୍ବିତୀୟ ବଲ୍ ୱାଇଡ୍ ପକାଇଥିଲେ। ତୃତୀୟ ବଲ୍ରେ ପନ୍ତ୍ ୨ ରନ୍ ନେଇ ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ। ମାର୍କସ୍ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ନିର୍ଧାରିତ ସମୟ ମ୍ୟାଚ୍ରେ ରବିଚନ୍ଦ୍ରନ୍ ଅଶ୍ବିନ୍ ମାତ୍ର ଗୋଟିଏ ଓଭର ବୋଲିଂ କରି ୨ ୱିକେଟ୍ ଦଖଲ କରିଥିଲେ। ହେଲେ ବାମ କାନ୍ଧରେ ଗୁରୁତର ଆଘାତ ପାଇ ସେ ପଡ଼ିଆ ଛାଡ଼ିଥିଲେ। ସେ ଆଉ ବୋଲିଂ କରିପାରିନଥିବାରୁ ପଞ୍ଜାବ ଫାଇଦା ଉଠାଇଥିଲା। ବିଶେଷକରି ମୟଙ୍କ ଅଗ୍ରୱାଲଙ୍କ ମାଡ଼ରେ ଦିଲ୍ଲୀ ଘାଇଲା ହୋଇଯାଇଥିଲା। ମାର୍କସ ଷ୍ଟୋଇନିସ୍ଙ୍କ ବିସ୍ଫୋରକ ଅର୍ଧଶତକ ପରେ ପଞ୍ଜାବ ପକ୍ଷରୁ ମଧ୍ୟ ମୟଙ୍କଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ଶେଷ ଓଭରର ଚତୁର୍ଥ ବଲ୍ରେ ସ୍କୋର୍ ବରାବର ହୋଇଯାଇଥିଲା। ତେବେ ପଞ୍ଚମ ବଲ୍ରେ ମୟଙ୍କଙ୍କୁ ଆଉଟ୍ କରି ଷ୍ଟୋଇନିସ୍ ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲେ। ପୁଣି ଶେଷ ବଲ୍ରେ କ୍ରିସ୍ ଜୋର୍ଡନ୍ଙ୍କୁ ଆଉଟ୍ କରି ମ୍ୟାଚ୍ ଟାଇ କରିଦେଇଥିଲେ। ଦିଲ୍ଲୀର ୧୫୭/୮ ଜବାବରେ ପଞ୍ଜାବ ବି ୧୫୭/୮ କରିଥିଲା।