ସେନ୍ସେକ୍ସରେ ରେକର୍ଡ
1 min readମୁମ୍ବାଇ: ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇ ଖୁବ୍ଶୀଘ୍ର ଶେଷ ହେବାକୁ ଯାଉଥିବାର ଖବର ପ୍ରଚାରିତ ହେବା ପରେ ସାରା ବିଶ୍ବର ସେୟାର ବଜାରରେ ଆଜି ଜବରଦସ୍ତ କାରବାର ହୋଇଛି। ଏହାର ପ୍ରଭାବରେ ଭାରତରେ ଥିବା ଦୁଇଟି ସେୟାର ବଜାର-ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ମଧ୍ୟ ନିବେଶକମାନେ ବିପୁଳ ପରିମାଣର ସେୟାର କିଣିଥିଲେ। ଫଳରେ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ୫୩୦ ପଏଣ୍ଟ୍ ବୃଦ୍ଧି ପାଇ ନୂତନ ରେକର୍ଡ ସ୍ତର ୪୦,୮୮୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୧୬୪ ପଏଣ୍ଟ୍ ବୃଦ୍ଧି ପାଇ ୧୨,୦୭୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଘଟିଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ନିବେଶକମାନଙ୍କ ସମ୍ପତ୍ତି ଆଜି ୧ ଲକ୍ଷ ୮୧ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି।
ଆଜି ସେୟାର ବଜାରରେ ଦେଖାଦେଇଥିବା ଉତ୍ସାହର ଏକ ବଡ଼ କାରଣ ହେଉଛି ଆମେରିକା ଓ ଚୀନ୍ ଭିତରେ ହେବାକୁ ଯାଉଥିବା ବାଣିଜ୍ୟ ବୁଝାମଣା। ଏହି ଦୁଇ ଦେଶ ଭିତରେ ଚାଲିଥିବା ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ନିର୍ଦିଷ୍ଟ ବୁଝାମଣା ସ୍ବାକ୍ଷରିତ ହୋଇପାରେ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏହି ବୁଝାମଣା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ସେନ୍ସେକ୍ସର ଗତି ନିର୍ଧାରଣ କରୁଥିବା ୩୦ଟି କଂପାନିରେ ପରିବର୍ତ୍ତନ ମଧ୍ୟ ହୋଇଛି। ସେନ୍ସେକ୍ସରୁ ଟାଟା ମୋଟର୍ସ, ଟାଟା ମୋଟର୍ସ ଡିବିଆର୍, ୟେସ୍ ବ୍ୟାଙ୍କ ଓ ବେଦାନ୍ତ ବିଦା ହୋଇଥିବା ବେଳେ ସେହି ସ୍ଥାନ ନେଇଛନ୍ତି ଅଲ୍ଟ୍ରାଟେକ୍ ସିମେଣ୍ଟ୍, ନେସ୍ଲେ ଇଣ୍ଡିଆ ଓ ଟାଇଟାନ୍। ଏହି ପରିବର୍ତ୍ତନ ଆସନ୍ତା ଡିସେମ୍ବର ୨୩ରୁ ଲାଗୁ ହେବ। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ଷ୍ଟକ ବଜାର ଉପରେ ଭରସା ପ୍ରକଟ କରିଛନ୍ତି। ଗତ ଶୁକ୍ରବାର ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ପିଆଇ)ଗୁଡ଼ିକ ଭାରତୀୟ ବଜାରରେ ୫୦୦୦ କୋଟି ଟଙ୍କା ନିବେଶ କରିଥିଲେ। ସେନ୍ସେକ୍ସରେ ଆଜି ଘଟିଥିବା ବୃଦ୍ଧିର ଏହା ହେଉଛି ଅନ୍ୟତମ ପ୍ରମୁଖ କାରଣ। ଆଜି କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ, ଜାପାନ, ଚୀନ୍ ଓ ୟୁରୋପର ଷ୍ଟକ ବଜାରଗୁଡ଼ିକରେ ଆଜି ସୂଚକାଙ୍କ ବୃଦ୍ଧିର ସହ ବନ୍ଦ ହୋଇଛି।