Sun. Feb 23rd, 2025

ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ଷମ ହେବ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତ

1 min read
Spread the love

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ସର୍ବବୃହତ୍ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ ଆସନ୍ତା ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ଷମ ହେବ । ଏହି ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୌସେନା ମୁଖ୍ୟ ଆଡମିରାଲ ହରିକୁମାର ଯୋଗ ଦେବେ ବୋଲି ନୌସେନାର ଉପମୁଖ୍ୟ ଭାଇସ-ଆଡମିରାଲ ଏସ.ଏନ.ଗୋରମେଡ୍ କହିଛନ୍ତି ।

ଏହି ଯୁଦ୍ଧରପୋତ ଭାରତୀୟ ନୌସେନାର ଶକ୍ତି ବୃଦ୍ଧିକରିବା ସହ ଏହି ଅଂଚଳରେ ସ୍ଥିରତା ରକ୍ଷା ଦିଗରେ କାର୍ଯ୍ୟକରିବ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଆଇଏନଏସ ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ୪ର୍ଥ ସାମୁଦ୍ରିକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା । ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍ କରାଯାଇଛି । ଏପରି କ୍ଷମତା ହାସଲ କରିବାରେ ଭାରତ ବିଶ୍ବର ଅଳ୍ପ କିଛି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି ।

ଏହା ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫୦୦ ଟନ ଓଜନର ସ୍ବତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି । ଏହା ଏତେବଡ଼ ଯେ ଏହାର ଡେକରେ ଦୁଇଟି ଫୁଟବଲ ପଡ଼ିଆ ରହିପାରିବ । ଏଥିରେ ଏକାସମୟରେ ୧୭୦୦ କର୍ମଚାରୀ ରହିପାରିବେ ।

Copyright © All rights reserved.