Thu. Nov 21st, 2024

ସ୍ବପ୍ନକୁ ବାସ୍ତବ ରୂପ ଦେଇଥିଲେ ମାହି

1 min read
Spread the love

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିବାର ୪୮ ଘଣ୍ଟା ପରେ ବି ମହେନ୍ଦ୍ର ସିଂହ ଧୋନିଙ୍କ ଚର୍ଚା କମିବାର ନାହିଁ। ମାହି ଏଭଳି ଜଣେ ଖେଳାଳି, ନେତା, ବ୍ୟକ୍ତିତ୍ବ ଥିଲେ ଯାହାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସ୍ବପ୍ନକୁ କିଭଳି ସାକାର କରିବାକୁ ହୁଏ ଏହାର ଜଣେ ନିଖୁଣ କାରିଗର ଥିଲେ। ପାରମ୍ପରିକ ବିଶ୍ବାସଠାରୁ ଅଲଗା ଥିଲେ କିନ୍ତୁ ଦୃଢ଼ ଆତ୍ମବିଶ୍ବାସୀ ମଧ୍ୟ ଥିଲେ। ଚିରାଚରିତ ଭାବେ ତାଲିମ ଶିବିରକୁ ବିଳମ୍ବରେ ଆସୁଥିଲେ, ପ୍ରଥମେ ସ୍ପିନରଙ୍କୁ ଭେଟୁଥିଲେ କ୍ରମେ ବଡ଼ ସଟ୍‌ ଖେଳିବାରେ ଲାଗୁଥିଲେ ଏବଂ ପେସ୍‌ ବୋଲରଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଥିଲେ। ଆବଶ୍ୟକ ପଡିଲେ କିଛି ବଲ୍‌ ଫିଙ୍ଗୁଥିଲେ। ୨୦୦୪ ଡିସେମ୍ବର ୨୩ ତାରିଖରେ ଚିଟ୍ଟାଗଙ୍ଗରେ ଦିନିକିଆ ପଦାର୍ପଣ କରିବାଠାରୁ ଆରମ୍ଭ ହୋଇଥିବା ମାହିଙ୍କ ମହାନ ଅଭିଯାନ ୨୦୧୯ ଓଲ୍ଡ ଟ୍ରାଫୋର୍ଡରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବକପ୍‌ ସେମିଫାଇନାଲରେ ଶେଷ ହୋଇଥିଲା। ୧୬ ବ‌ର୍ଷର କ୍ରିକେଟ୍ ଯାତ୍ରା ମଧ୍ୟରେ ଧୋନି ସାଥୀ ଖେଳାଳି, ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଥିଲେ। ସଚିନ ତେନ୍ଦୁଲକରଙ୍କ ପରେ ଧୋନି ଦେଶର ପରବର୍ତୀ କିଂବଦନ୍ତି କ୍ରିକେଟର୍‌ ହେବାର ଗୌରବ ଆଣିଥିଲେ। ଗୋଟିଏ ପାଳିରେ ଏକାଧିକ ଛକା ମାରିବା ଏବଂ ଛକା ଉପରେ ଭରସା କରି ମ୍ୟାଚ୍‌କୁ ଶେଷ ଓଭର ଶେଷ ବଲ୍ ପର୍ଯ୍ୟନ୍ତ ନେବାର ଆତ୍ମବିଶ୍ବାସ କେବଳ ଧୋନି ହିଁ ଦେଇଥିଲେ ଭାରତୀୟ କ୍ରିକେଟ୍‌କୁ।

ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ୍‌ ଜୀବନଙ୍କୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ସାସଂଦ ଗୌତମ ଗମ୍ଭୀର ଢେର ପ୍ରଶଂସା କରିଛନ୍ତି। ଧୋନିଙ୍କ ତିନିଟି ଆଇସିସି ଟ୍ରଫି ଜିତିବାର କୀର୍ତ୍ତିମାନ ଭାଙ୍ଗିବ ନାହିଁ ବୋଲି ସେ ଆଶା ପ୍ରକ‌ାଶ କରିଛନ୍ତି। ମୁଁ କହିବି ଧୋନିଙ୍କ ଗୋଟିଏ କୀର୍ତ୍ତିମାନ ସବୁଦିନ ପାଇଁ ଅତୁଟ ରହିବାକୁ ଯାଉଛି। ତାହା ହେଉଛି ଧୋନିଙ୍କ ତିନିଟି ଆଇସିସି ଟ୍ରଫି। ଅନ୍ୟ କୌଣସି ଅଧିନାୟକ ଏହି ସଫଳତା ହାସଲ କରିବାକୁ ସକ୍ଷମ ହେବେ ବୋଲି ମୁଁ କାହିଁ ଭାବିପାରୁନି। ଟି-୨୦ ବିଶ୍ୱକପ୍‌ କି ଆଇସିସି ଚାମ୍ପିଅନ୍ସ ଟ୍ରଫି ହେଉ କିମ୍ବା ୨୦୧୧ ବିଶ୍ୱକପ୍‌ ତାଙ୍କର ସର୍ବୋତ୍ତମ ସଫଳତା ବୋଲି ଗମ୍ଭୀର ଷ୍ଟାର୍‌ ସ୍ପୋର୍ଟସ ସୋ ‘କ୍ରିକେଟ୍ କନେକ୍ଟେଡ୍‌’ରେ କହିଛନ୍ତି।

Copyright © All rights reserved.