Thu. Nov 21st, 2024

ସ୍ଵିସ୍‌ ବ୍ୟାଙ୍କରେ ଅନିଲଙ୍କ ୮୧୪ କୋଟି କଳାଧନ, ନୋଟିସ୍‌ ପଠାଇଲା ଆୟକର ବିଭାଗ

1 min read
Spread the love

ନୂଆଦିଲ୍ଲୀ: ଅନିଲ ଧୀରୁଭାଇ ଅମ୍ବାନି ଗ୍ରୁପ୍ (ଏଡିଏଜି) କମ୍ପାନି ଅଧ୍ୟକ୍ଷ ଅନିଲ ଅମ୍ବାନି ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଛନ୍ତି। ୨ଟି ଆକାଉଣ୍ଟରେ ସେ ୮୧୪ କୋଟି ଟଙ୍କାରୁ ଅଧିକ କଳାଧନ ଜମା ରଖିଛନ୍ତି। ଏ ବାବଦରେ ସେ ଭାରତରେ ୪୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି। ଆୟକର ବିଭାଗ ଉକ୍ତ ଅଭିଯୋଗ ଆଣିବା ସହିତ ଅନିଲଙ୍କ ନିକଟକୁ ତଦନ୍ତ ନୋଟିସ ପଠାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନଭାଇ ଅନିଲ (୬୩) ଜାଣିଶୁଣି ଏହି ଠକେଇ କରିଛନ୍ତି। ଚଳିତମାସରେ ଏଥିପାଇଁ ଅନିଲଙ୍କ ନିକଟକୁ ଆୟକର ବିଭାଗ ଏକ କାରଣ ଦର୍ଶାଅ ନୋଟିସ ପଠାଇଛି। କଳା ଟଙ୍କା (ଅଘୋଷିତ ବିଦେଶୀ ଆୟ ଓ ସଂପତ୍ତି) ଉପରେ ଟିକସ ଲାଗୁ ଆଇନ ୨୦୧୫ର ଧାର ୫୦ ଓ ୫୧ ଅନୁଯାୟୀ, ସେ ତଦନ୍ତର ସାମ୍ନା କରିବେ। ଉକ୍ତ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ଦେବାକୁ ପଡ଼ିପାରେ। ଚଳିତମାସ ୩୧ ତାରିଖ ସୁଦ୍ଧା ନୋଟିସର ଉତ୍ତର ଦେବାକୁ ତାଙ୍କୁ କୁହାଯାଇଛି। ୨୦୧୨-୧୩ରୁ ୨୦୧୯-୨୦ ଆକଳନ ବର୍ଷ ମଧ୍ୟରେ ସେ ଏହି କଳାଟଙ୍କା ବିଦେଶରେ ରଖିଛନ୍ତି।

ବାହାମାସ ଏବଂ ବ୍ରିଟିସ ଭର୍ଜିନ ଆଇଲାଣ୍ଡରେ ଅନିଲ ଅମ୍ବାନିଙ୍କର ଥିବା ଦୁଇଟି କମ୍ପାନି ନାମରେ ଉକ୍ତ କଳାଟଙ୍କା ରଖିଛନ୍ତି। ବାହାମାସର କମ୍ପାନି ନାମ ହେଲା ଡ୍ରିମୱର୍କ ହୋଲଡିଂ ଇନକର୍ପୋରେସନ ଏବଂ ବ୍ରିଟିସ ଭର୍ଜିନ ଆଇଲାଣ୍ଡରେ ସ୍ଥାପନ କରିଥିବା କମ୍ପାନି ନାମ ହେଲା ନଦର୍ଣ୍ଣ ଆଟଲାଣ୍ଟିଂ ଟ୍ରେଡିଂ ଅନଲିମିଟେଡ (ଏନଏଟିୟୁ)। ଅନିଲ ଅମ୍ବାନି ତାଙ୍କର ଏହି ଜମାକୁ ଆୟକର ରିଟର୍ଣ୍ଣରେ ଦେଖାଇ ନାହାନ୍ତି। ତେଣୁ କଳାଟଙ୍କା ଆଇନର ଖିଲାପ କରିଛନ୍ତି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Copyright © All rights reserved.