Mon. Feb 24th, 2025

୧୦୦୦ ଟଙ୍କା ମହଙ୍ଗା ହେବ ଇସ୍ପାତ

1 min read
Spread the love

ମୁମ୍ବାଇ : ଆନ୍ତର୍ଜାତିକ ବଜାରରେ ଇସ୍ପାତ ମୂଲ୍ୟରେ ସୁଧାର ଦେଖାଦେଇଛି। ଏଥି ସହିତ ଦେଶ ଭିତରେ ଇସ୍ପାତର ଚାହିଦା‌ ବଢ଼ିବାରେ ଲାଗିଛି। ସେଥିପାଇଁ ଆସନ୍ତା ଜାନୁଆରି ମା‌ସରେ ଏହି ଧାତୁର ଟନ୍ ପିଛା ମୂଲ୍ୟ ୧୦୦୦ ଟଙ୍କା ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।ଇସ୍ପାତ ମୂଲ୍ୟରେ କ୍ରମାଗତ ତୃତୀୟ ମାସ ଲାଗି ବୃଦ୍ଧି ହେବ। ଭାରତରେ ଉଭୟ ଭିତ୍ତିଭୂମି ଓ ଅଟୋମୋବାଇଲ୍ ଶିଳ୍ପରେ ଇସ୍ପାତ ଚାହିଦା ବଢ଼ିଛି। ଏହାକୁ ନଜରରେ ରଖି କଂପାନିଗୁଡ଼ିକ ଇସ୍ପାତ ମୂଲ୍ୟରେ ଗତ ଦୁଇ ମାସରେ ଲଗାତାର ୨ ଥର ବୃଦ୍ଧି କରିଥିଲେ। ଆସନ୍ତା ଜାନୁଆରିରେ ମଧ୍ୟ ହଟ୍‌-ରୋଲଡ୍‌ କଏଲ୍‌ର ଟନ୍ ପିଛା ଦାମ୍ ୭୦୦-୧୦୦୦ ଟଙ୍କା ବୃଦ୍ଧି ପାଇବ ବୋଲି ଷ୍ଟକିଷ୍ଟ୍‌ମାନେ ଆକଳନ କରିଛନ୍ତି। ଗତ ନଭେମ୍ବରରେ ଇସ୍ପାତର ଟନ୍ ପିଛା ଦାମ୍ ୫୦୦-୭୦୦ ଟଙ୍କା ବଢ଼ିଥିଲା। ଏହା ପରେ ଚଳିତ ମାସରେ ପୁଣି ଥରେ ସେହି ଦର ୭୫୦-୧୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିଲା। ଗତବର୍ଷ ଇସ୍ପାତର ଟନ୍ ପିଛା ଦର ୪୫ ହଜାର ଟଙ୍କା ଭଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଏହା ପରେ ଚଳିତ ବର୍ଷ ଏପ୍ରିଲ୍‌ରୁ ଏହାର ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା। ଗତ ସେପ୍ଟେମ୍ବର ବେଳକୁ ଏକ ଟନ୍ ଇସ୍ପାତର ମୂଲ୍ୟ ୩୨,୫୦୦ ଟଙ୍କାକୁ ଖସିଯାଇଥିଲା। କେବଳ ଭାରତ ନୁହେଁ ବିଶ୍ବ ସ୍ତରରେ ମଧ୍ୟ ଇସ୍ପାତ ଦାମ୍ ବଢ଼ିବା ଆରମ୍ଭ ହୋଇଛି। ଆନ୍ତର୍ଜାତିକ ବଜାରରେ ଇସ୍ପାତ ଦାମ୍ ୬୦-୭୦ ଡଲାର (୪୨୦୦-୪୯୦୦ ଟଙ୍କା) ବଢ଼ିଛି।

ଇସ୍ପାତ କଂପାନିଗୁଡ଼ିକ ଲାଗି ସବୁ ଦୃଷ୍ଟିରୁ ସୁହାଇବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଲୁହା ଦାମ୍ ଟନ୍ ପିଛା ୯୦ ଡଲାରକୁ ଖସିଯାଇଥିବା ବେଳେ ଜାଳେଣି କୋଇଲାର ଟନ୍ ପିଛା ଦାମ୍ ମଧ୍ୟ ୬୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଛି। କଞ୍ଚାମାଲ୍‌ ଦାମ୍‌ରେ ଘଟିଥିବା ହ୍ରାସର ଲାଭ ସହିତ ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ଭଳି ଦୁଇ ଆଡ଼ୁ ଲାଭ ପାଉଛନ୍ତି ଇସ୍ପାତ କଂପାନି। ଚଳିତ ବର୍ଷ (୨୦୧୯)ଟି ଭାରତୀୟ ଇସ୍ପାତ କଂପାନିଗୁଡ଼ିକ ଲାଗି ଏତେ ଭଲ ନଥିଲା। ପ୍ରାୟ ସେପ୍ଟେମ୍ବର ପର୍ଯ୍ୟନ୍ତ ଜଟିଳ ସ୍ଥିତି ରହିଥିଲା। ‌ଦେଶ ଭିତରେ ଚାହିଦା ହ୍ରାସ ପାଇବା ଯୋଗୁଁ କଂପାନିଗୁଡ଼ିକ ଆୟ ପାଇଁ ରପ୍ତାନି ବଜାର ଉପରେ ଅଧିକ ନିର୍ଭରଶୀଳ ଥିଲେ। ସେଥିପାଇଁ ଭାରତର ଇସ୍ପାତ ରପ୍ତାନି ୩୩% ବୃଦ୍ଧି ପାଇଥିଲା।

Copyright © All rights reserved.