Mon. Feb 24th, 2025

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଘେରିଲା ଏବିଭିପି, ୫୦ କର୍ମୀ ଅଟକ

1 min read
Spread the love

ଭୁବନେଶ୍ୱର: ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମୀମାନେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କ ଘର ଭିତରକୁ ପ୍ରବେଶ କରିବା ଉଦ୍ୟମରେ ପୁଲିସ ୫୦ ଜଣ କର୍ମୀଙ୍କୁ ଅଟକ ରଖିଛି।

ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବିଭିପିର ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି, ଗୋଟିଏ ଭୁଲ ଥରେ ହେଲେ କ୍ଷମଣୀୟ କିନ୍ତୁ ସେହି ଭୁଲ ବାରମ୍ବାର ହେବା ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବା ଅକ୍ଷମଣୀୟ। କେବଳ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ନୁହେଁ, ଏହା ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର, ପୂର୍ବ ବର୍ଷ ବୋର୍ଡ ପ୍ରଶ୍ନପତ୍ର ଲିକ ହୋଇଥିଲା। ସରକାର ସ୍ୱଚ୍ଛ ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାରେ ଦୋଷିଙ୍କୁ ତୁରନ୍ତ ଗିରଫ ନକରାଗଲେ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ ବୋଲି ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପ୍ରଶ୍ନପତ୍ର ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ରାଜ୍ୟର ଅନ୍ୟ ଅଂଚଳକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପହଂଚିପାରିଛି। ରିପୋର୍ଟ ଅନୁସାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରୁ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସବୁଠାରୁ ଦୁଃଖର ବିଷୟ ଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା। ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Copyright © All rights reserved.