୨୬ରେ ପାଳନ ହେବ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ
1 min readଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳିବ ୨୩ ତମ ପ୍ରତିଷ୍ଠା ଦିବସ। ସେବା ଭାବନା ନେଇ ପୁଣି ଥରେ ଉତ୍ସର୍ଗୀକୃତ ଭାବେ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏ ନେଇ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ପ୍ରମୁଖ ଦଳୀୟ ସଂଗଠନମାନଙ୍କର ରାଜ୍ୟ ସଭାପତିମାନଙ୍କୁ ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି। ପ୍ରତିଷ୍ଠା ଦିବସରେ ସଭାପତି କିଛି ନୂଆ ଘୋଷଣା କରିପାରନ୍ତି। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆସନ୍ତା ୨୬ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହାସହିତ ସମସ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ମଧ୍ୟ ପାଳନ କରାଯିବ। ବିଜେଡି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଛି। ଗାଁ ଗହଳି, ସହର, ବସ୍ତିରେ ଥିବା ଅଗଣିତ କର୍ମୀଙ୍କର ନିଷ୍ଠା ଓ ପରିଶ୍ରମ ଦଳକୁ ଜନସାଧାରଣଙ୍କ ନିକଟତର କରିଛି। ଯଦ୍ବାରା ଲଗାତାର ପଞ୍ଚମ ଥର ପାଇଁ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସିଛନ୍ତି। ପ୍ରାକୃତିକ ଦୁର୍ବିପାକ ମୁକାବିଲା ହେଉ କି ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କାର୍ଯ୍ୟକ୍ରମ। ଏସବୁଥିରେ ସରକାରଙ୍କୁ ଆନ୍ତର୍ଜାତିକ ପ୍ରଶଂସା ଓ ସ୍ବୀକୃତି ମିଳିଛି। ଦାରିଦ୍ର୍ୟ ଦୂରୀକରଣ, ମହିଳା ଓ ଯୁବକଙ୍କୁ ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଖାଦ୍ୟ ନିରାପତ୍ତା ଓ ସାମାଜିକ ନିରାପତ୍ତା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କାର୍ଯ୍ୟକ୍ରମଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଶଂସିତ ହୋଇଛି। ମହାନଦୀ ଓ ପୋଲାଭରମ ପାଇଁ ନ୍ୟାୟିକ ଲଢ଼େଇ ଜାରି ରହିଛି। ଜନସାଧାରଣଙ୍କୁ ସ୍ବଚ୍ଛ ପ୍ରଶାସନ ଦେବା ପାଇଁ ୫’ଟି’ ଓ ‘ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଜୁ ଜନତା ଦଳ ହେଉଛି ଏକ ମାତ୍ର ରାଜନୈତିକ ଦଳ, ଯାହାର ସାମାଜିକ ପ୍ରତିବଦ୍ଧତା ‘ଜୀବନ ବିନ୍ଦୁ’ ଓ ଓଡ଼ିଶା-‘ମୋ ପରିବାର’ କାର୍ଯ୍ୟକ୍ରମମାନଙ୍କରେ ପ୍ରତିଫଳିତ ହେଉଛି ବୋଲି ସଭାପତି ଦର୍ଶାଇଥିବା ଶ୍ରୀ ମିଶ୍ର କହିଥିଲେ।