୩ ମନ୍ଦିରକୁ ‘ଭୋଗ୍’ ସାର୍ଟିଫିକେଟ୍
1 min read![](https://www.dailyodiasamachar.com/odia/wp-content/uploads/2019/12/images-5-1.jpg)
ଭୁବନେଶ୍ବର : ରାଜଧାନୀର ୩ ମନ୍ଦିରକୁ ମିଳିବ ବ୍ଲିସଫୁଲ ହାଇଜେନିକ୍ ଅଫରିଂ ଟୁ ଗଡ୍ ବା ଭୋଗ୍ ସାର୍ଟିଫିକେଟ୍। ଯେଉଁ ମନ୍ଦିରରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି, ସେସବୁ ମନ୍ଦିରର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତେବେ ଯେଉଁ ମନ୍ଦିରରେ ଦେବ ନୀତି ଅନୁଷ୍ଠିତ ହେଉଛି, ସେସବୁ ମନ୍ଦିରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସାର୍ଟିଫିକେସନ୍ରୁ ବାଦ୍ ଦିଆଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏହାସହ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ୧/୩ ମନ୍ଦିରକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଚିଠି ଦିଆଯାଇଥିବା ସୂଚନା ମିଳିଛି।
ମନ୍ଦିରମାଳିନୀ ଭୁବନେଶ୍ବରରେ ଅନେକ ମନ୍ଦିରରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ପ୍ରତ୍ୟେକ ଦିନ ରୋଷେଇ ହେଉଛି। ତେଣୁ ପରିଷ୍କାର ପରିଚ୍ଛନ୍ନତାକୁ କିଭଳି ଅଧିକରୁ ଅଧିକ ଗୁରୁତ୍ବ ଦିଆଯାଇ ପାରିବ, ତାହା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜଧାନୀର ଟଙ୍କପାଣିସ୍ଥିତ ସାଇ ମନ୍ଦିର, ବରମୁଣ୍ଡାସ୍ଥିତ ଦକ୍ଷିଣ କାଳୀ ମନ୍ଦିର ଓ ବାଣୀବିହାରସ୍ଥିତ ଶନିଦେବ ମନ୍ଦିରକୁ ‘ଭୋଗ୍’ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ନିକଟରେ ଅଡିଟ୍ ଶେଷ ହୋଇଥିବା ବେଳେ ରେଜିଷ୍ଟ୍ରେସନ୍ କରାଯାଇଛି। ମନ୍ଦିରରେ ଯେଉଁ ରୋଷେୟା ରହିଛନ୍ତି, ସେମାନଙ୍କୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଦିନିକିଆ ତାଲିମ୍ ପ୍ରଦାନ କରାଯାଇଛି। କିଭଳି ପରିମଳ ବଜାୟ ରହିବ ଓ ଉନ୍ନତମାନର ପ୍ରସାଦ ଶ୍ରଦ୍ଧାଳୁମାନଙ୍କୁ ପ୍ରଦାନ କରାଯିବ, ସେ ସଂପର୍କରେ ତାଲିମ୍ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ବାହାରୁ ଏଫ୍ଏସ୍ଏସ୍ଏଆଇ ସହିତ ଅନୁବନ୍ଧିତ ସଂସ୍ଥା ଏହି ତାଲିମ୍ ପ୍ରଦାନ କରିଥିଲା। ଖୁବ୍ଶୀଘ୍ର ଏହି ୩ ମନ୍ଦିରକୁ ସାର୍ଟିଫିକେଟ୍ ପ୍ରଦାନ ନେଇ ଘୋଷଣା କରାଯିବ ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ମିଳିଛି।