ଟାଟା ଷ୍ଟ୍ରାଇଭ୍, ଟେକ୍ ମହିନ୍ଦ୍ରା ସହ ୩ଟି ବୁଝାମଣାପତ୍ର ସ୍ବାକ୍ଷର:ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର: ଆଜି ଖାରବେଳ ଭବନରେ ରାଜ୍ୟ ସରକାରଙ୍କ ତରଫରୁ ଟାଟା ଷ୍ଟ୍ରାଇଭ୍ ଓ ଟେକ୍ ମହିନ୍ଦ୍ରା ସହିତ ତିନିଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି। ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ଲଘୁ ଦକ୍ଷତା ତାଲିମ ପ୍ରଦାନ କରିବା ଲାଗି ଟାଟା ଷ୍ଟ୍ରାଇଭ୍ ସହିତ ଚୁକ୍ତି କରାଯାଇଛି। ସେହିପରି କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଉପରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି ବିପିୟୁଟି, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ସିଇଟି) ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏକ ଆନ୍ତର୍ଜାତିକ ବିପିଓ ବିଜନେସ୍ ୟୁନିଟ୍ ସ୍ଥାପନ କରିବା ଲାଗି ଟେକ୍ ମହିନ୍ଦ୍ରା ଓ ଇଡ୍କୋ ମଧ୍ୟରେ ଆଉ ଏକ ବୁଝାମଣା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଓଡ଼ିଶାର ଯୁବପିଢ଼ିଙ୍କୁ ସାରା ବିଶ୍ବ ଲାଗି ଦକ୍ଷ କରିବା ଦିଗରେ କାର୍ଯ୍ୟ କରୁଛୁ। ଟାଟା ଷ୍ଟ୍ରାଇଭ୍ ଓ ଟେକ୍ ମହିନ୍ଦ୍ରା ସହ ହୋଇଥିବା ବୁଝାମଣା ସ୍କିଲଡ୍-ଇନ୍-ଓଡ଼ିଶା ସହ ବେଶ ଖାପଖାଉଛି। ନିଯୁକ୍ତି ସୁଯୋଗ ହାସଲ କରିବାରେ ଏହା ଯୁବପିଢ଼ିଙ୍କ ପାଇଁ ବିଶେଷ ସହାୟକ ହେବ।
ଆଜି ଟାଟା ଷ୍ଟ୍ରାଇଭ୍ର ସିଇଓ ଅନିତା ରାଜନ ଏବଂ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦେଶକ ରେଘୁ ଜି ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଟେକ୍ ମହିନ୍ଦ୍ରା ସହେଯାଗ ସ୍ଥାପନ କରାଯିବାକୁ ଥିବା ଏଆଇ ଓ ଏମ୍ଏଲ୍ ଉତ୍କର୍ଷ କେନ୍ଦ୍ରରେ ପ୍ରତିବର୍ଷ ୩୦ ଛାତ୍ରଛାତ୍ରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ଟେକ୍ ମହିନ୍ଦ୍ରାର ଏସ୍ଭିପି (ଗ୍ଲୋବାଲ୍ ଡେଲିଭରି ହେଡ୍) ବି କେ ମିଶ୍ର, ସିଇଟିର ଅଧ୍ୟକ୍ଷ ପ୍ରଫେସର ପି କେ ପାତ୍ର ଓ ବିପିୟୁଟିର ରେଜିଷ୍ଟ୍ରାର୍ ଏଚ୍ ଏସ୍ ବେହେରା ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ସଚିବ ସଞ୍ଜୟ ସିଂହ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ବିପିଓ ଲାଗି ହୋଇଥିବା ବୁଝାମଣାରେ ଇଡ୍କୋର ସିଜିଏମ୍ ବି କେ ଦାସ ଓ ଟେକ୍ ମହିନ୍ଦ୍ରାର ଏସ୍ଭିପି ଶ୍ରୀ ମିଶ୍ର ସ୍ବାକ୍ଷର କରିଛନ୍ତି।