ନୂଆ ମୋଟରଯାନ ଆଇନ: କଣ୍ଟ ପୂରିବାକୁ ଆଉ ୫ ଦିନ
1 min readଭୁବନେଶ୍ୱର: ଆଉ ୫ଦିନ ପରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହେବ। ଏଥିପାଇଁ ଉଭୟ ପୁଲିସ ଓ ଆରଟିଓ ଅଣ୍ଟା ଭିଡ଼ିଲେଣି। ହେଲେ ଅଡ଼ୁଆ ଛିଣ୍ଡୁନି। ୧୫ ବର୍ଷର ଗାଡ଼ି ଚିନ୍ତା ବଢ଼ାଇଛି। ନୂଆ ଆଇନ ଅନୁସାରେ ୧୫ ବର୍ଷ ପୂରିଥିବା ଗାଡ଼ିକୁ ନିଷେଧ କରାଯାଇଛି। ଏହି ଗାଡ଼ି ପାଇଁ କେନ୍ଦ୍ର ସରକାର ‘ଅଥରାଇଜ୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି’ ବ୍ୟବସ୍ଥାର ଡ୍ରାଫ୍ଟ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି। କିନ୍ତୁ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ଜରିମାନା ଦେଇ ଏହି ଗାଡ଼ିଗୁଡ଼ିକୁ ଆଉ ୫ ବର୍ଷ ଗଡ଼ିବା ପାଇଁ ବୈଧ କରାଯାଇ ପାରୁଥିବାରୁ ଲୋକମାନେ ଧାଡ଼ି ବାନ୍ଧି ଏହି ଗାଡ଼ିଗୁଡ଼ିକୁ ପୁନଃ ନବୀକରଣ କରିବାରେ ବ୍ୟସ୍ତ ରହିଛନ୍ତି। ନିକଟ ଅତୀତରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ୧୫ ବର୍ଷିଆ ଗାଡ଼ି ଅବୈଧ ବୋଲି ଘୋଷଣା କରିବା ପରେ ଚାଳକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ୨୨ ଲକ୍ଷ ୯ ହଜାର ୫୭୩ଟି ଗାଡ଼ି ରାଜ୍ୟରେ ରହିଥିବା ବେଳେ ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡ଼ି ଚଳପ୍ରଚଳ କରୁଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ପୁନଃ ପଞ୍ଜୀକରଣ (ରି-ରେଜିଷ୍ଟ୍ରେସନ) ବ୍ୟବସ୍ଥାରେ ରାଜ୍ୟରେ ପାଖାପାଖି ୩୦ ପ୍ରତିଶତ ଗାଡ଼ି ପୁନଃ ପଞ୍ଜୀକୃତ ହୋଇ ସାରିଲାଣି। ୧୫ ବର୍ଷ ପୂରଣ କରିଥିବା ଗାଡ଼ି ଗଡ଼ିବା ନିଷେଧ ବୋଲି ବିଧାନସଭାରେ ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିବା ପରେ ଗାଡ଼ି ଚାଳକ ଦ୍ବନ୍ଦ୍ବରେ ପଡ଼ିଛନ୍ତି।