ଅତିରିକ୍ତ ବଜେଟ୍ ଉପରେ ପ୍ରଶ୍ନ ଉଠାଇଲେ ସିଏଜି:ଖର୍ଚ୍ଚ କରିବାରେ ବିଭାଗ ବିଫଳ
1 min readଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ମୂଳ ବଜେଟ୍ରେ ଯୋଗାଇ ଦିଆଯାଉଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରାଯାଇ ପାରୁନାହିଁ। ମୂଳ ବଜେଟ୍ ପରେ ପୁଣି ବିଭାଗ ଗୁଡ଼ିକୁ ଅତିରିକ୍ତ ବଜେଟ୍ ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯାଉଛି। ତେବେ ମୂଳ ଅର୍ଥକୁ ବିଭାଗ ଗୁଡ଼ିକ ଖର୍ଚ୍ଚ କରି ପାରୁ ନଥିବା ବେଳେ ଅତିରିକ୍ତ ବଜେଟ୍ରେ କାହିଁକି ଅର୍ଥ ଆବଣ୍ଟନ ବ୍ୟବସ୍ଥା କରାଯାଉଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ପ୍ରଶ୍ନ ଉଠାଇଛନ୍ତି। ବିଧାନସଭାରେ ଆଜି ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହା କୁହାଯାଇଛି।
୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅନୁପୂରକ ଅନୁଦାନ ବାବଦରେ ୯୮୨୯ କୋଟି ଟଙ୍କାର ବ୍ୟୟ ବରାଦ ଆଣିଥିଲେ। ଏହା ଥିଲା ମୋଟ ଖର୍ଚ୍ଚର ୧୦ ପ୍ରତିଶତ। ଅନେକ ବିଭାଗ ପାଇଁ ଏହା ଅନାବଶ୍ୟକ ବୋଲି ପ୍ରମାଣିତ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଗୃହ ବିଭାଗ ପାଇଁ ମୂଳ ବଜେଟ୍ରେ ୪୧୦୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ସେହିବର୍ଷ ବାସ୍ତବ ବ୍ୟୟ ଏହାଠାରୁ କମ୍ ଅର୍ଥାତ୍ ୩୮୧୧ କୋଟି ଟଙ୍କା ରହିଥିଲା। ଏହାସତ୍ତ୍ବେ ଅତିରିକ୍ତ ବଜେଟ୍ରେ ଉକ୍ତ ବିଭାଗ ପାଇଁ ୯୫ କୋଟି ଟଙ୍କା ଦିଆଯାଇଥିଲା। ସେହିଭଳି ସାଧାରଣ ପ୍ରଶାସନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଆଇନ, ବାଣିଜ୍ୟ, ନିର୍ମାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୦୧୭-୧୮ ଆର୍ଥିକ ବର୍ଷର ମୂଳ ବଜେଟରେ ଯଥାକ୍ରମେ ୧୬୨ କୋଟି, ୯୫୩ କୋଟି, ୩୪୦ କୋଟି, ୮୬ କୋଟି, ୨୭୬୩ କୋଟି(ପୁଞ୍ଜିଗତ), ୧୦୦୩ କୋଟି ଏବଂ ୧୩,୪୨୯ କୋଟିର ବ୍ୟୟବରାଦ କରାଯାଇଥିଲା। ଏହି ବିଭାଗ ଗୁଡ଼ିକ ସେହିବର୍ଷ ଯଥାକ୍ରମେ ୧୪୪ କୋଟି, ୭୮୮ କୋଟି, ୨୮୦ କୋଟି, ୬୮ କୋଟି, ୨୭୧୬ କୋଟି (ପୁଞ୍ଜିଗତ), ୯୮୬ କୋଟି, ୧୧,୭୪୪ କୋଟି ବ୍ୟୟ କରିବାକୁ ସକ୍ଷମ ହୋଇଥିଲେ। ଏହା ସତ୍ତ୍ବେ ସେମାନଙ୍କୁ ଅତିରିକ୍ତ ବଜେଟ୍ରେ ସରକାର ବ୍ୟୟବରାଦ କରିଥିଲେ। ଏହିଭଳି ୨୯ଟି ବିଭାଗର ଉଦାହରଣ ସିଏଜି ରିପୋର୍ଟରେ ଦିଆଯାଇଛି।