ରେଳ ସ୍ଥିତି ୧୦ ବର୍ଷରେ ସବୁଠୁ ଖରାପ : ସିଏଜି ରିପୋର୍ଟ
1 min readନୂଆଦିଲ୍ଲୀ: ରେଳର ଆୟ ବିଗତ ୧୦ ବର୍ଷରେ ସବୁଠୁ ଖରାପ ସ୍ତରରେ ପହଞ୍ଚିଯାଇଛି। ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ (ସିଏଜି) ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଛି। ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ଭାରତୀୟ ରେଳ ୯୮ ଟଙ୍କା ୪୪ ପଇସା ବ୍ୟୟ କରୁଛି। ୨୦୧୭-୧୮ରେ ଏହାର ପରିଚାଳନା ଅନୁପାତ (ଅପରେଟିଂ ରେସିଓ) ୯୮.୪୪ ପ୍ରତିଶତକୁ ଖସିଯାଇଛି। ଅପେରଟିଂ ରେସିଓ ରେଳର ବାସ୍ତବ ଚିତ୍ର ସାମ୍ନାକୁ ଆଣିଛି। ଏହା କଂପାନିର ପ୍ରକୃତ ଆର୍ଥିକ ସ୍ଥିତି କେତେ ସୁସ୍ଥକର ତାହା ଜଣାଇଦେଇଛି। ଏହା ଉଚ୍ଚ ସ୍ତରରେ ରହିବାର ସିଧାସଳଖ ଅର୍ଥ ହେଉଛି ସବୁ ପ୍ରକାର ବ୍ୟବସ୍ଥାରୁ ରେଳବାଇ ୨ ପ୍ରତିଶତ ଆୟ ମଧ୍ୟ କରିପାରୁନାହିଁ।ରେଳର ଆର୍ଥିକ ସ୍ଥିତି ସମ୍ପର୍କରେ ସିଏଜି ଜଣାଇଛନ୍ତି ଯେ, ଏନ୍ଟିପିସି ଏବଂ ଇର୍କନ୍ରୁ ଯଦି ଅଗ୍ରୀମ ପେମେଣ୍ଟ୍ ମିଳିନଥାନ୍ତା ତେବେ ଏହାର ଖାତାରେ ୫୬୭୬.୨୯ କୋଟି ଟଙ୍କାର ବିଯୁକ୍ତାତ୍ମକ ବାଲାନ୍ସ ରହିଥାନ୍ତା। ଏହି ଦୁଇ ସଂସ୍ଥାରୁ ଅଗ୍ରୀମ ମିଳିଯିବାରୁ ରେଳବାଇ ଖାତାରେ ୧୬୬୫ କୋଟି ଟଙ୍କାର ବଳକା ପ୍ରଦର୍ଶିତ ହୋଇଛି। ରେଳର ଅପରେଟିଂ ରେସିଓ ବିଗତ ୧୦ ବର୍ଷ ଭିତରେ ୨୦୧୭-୧୮ରେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ବୋଲି ସିଏଜି ନିଜ ରିପୋର୍ଟରେ ଜଣାଇଛନ୍ତି। ଯଦି ଅଗ୍ରୀମ ମିଳିନଥାନ୍ତା ତେବେ ରେଳର ଅପରେଟିଂ ରେସିଓ ୧୦୨.୬୬ ପ୍ରତିଶତରେ ପହଞ୍ଚିଯାଇଥାନ୍ତା ବୋଲି ସିଏଜି କହିଛନ୍ତି। ୨୦୦୮-୦୯ରେ ପ୍ରତି ୧୦୦ ଟଙ୍କାର ଆୟ ଲାଗି ଭାରତୀୟ ରେଳ ୯୦ ଟଙ୍କା ୪୮ ପଇସା ଖର୍ଚ କରୁଥିଲା। ଏହା ପରେ ଏଥିରେ ଅବନତି ଦେଖାଦେଲା। ୨୦୧୨-୧୩ରୁ ୨୦୧୫-୧୬ ପର୍ଯ୍ୟନ୍ତ ସ୍ଥିତି ଭଲ ଥିଲା। ୨୦୧୬-୧୭ରୁ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି ବୋଲି ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହା ଯାତ୍ରୀ ସେବା ଏବଂ କୋଚ୍ ଭିତରେ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ସେବାର ପରିଚାଳନା ଖର୍ଚ୍ଚକୁ ପୂରଣ କରିପାରୁନାହିଁ। ମାଲ ପରିବହନରୁ ହେଉଥିବା ଲାଭର ୯୫ ପ୍ରତିଶତକୁ ଯାତ୍ରୀ ସେବା ଲାଗି ହେଉଥିବା ପରିଚାଳନା କ୍ଷତି ଭରଣା କରିବା ବାବଦରେ ବ୍ୟବହାର କରାଯାଉଛି।