ଚିନ୍ତାରେ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର!
1 min readପାଟନା: ପବନ ବର୍ମା ଏବଂ ପ୍ରଶାନ୍ତ କିଶୋରଙ୍କୁ ଦଳରୁ ବିଦା କରିବା ପରେ କାହାକୁ ସେହି ସ୍ଥାନରେ ନେବେ ତାକୁ ନେଇ ଚିନ୍ତାରେ ଅଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର। କୁହାଯାଉଛି ଯେ ଏ ଦୁଇ ନେତାଙ୍କ ଉପରେ ନୀତିଶଙ୍କର ଗଭୀର ବିଶ୍ବାସ ଓ ଭରସା ଥିଲା। ନୀତିଶ ଏବେ ଏପରି ଦୁଇ ନେତାଙ୍କର ସନ୍ଧାନରେ ଅଛନ୍ତି, ଯାହାଙ୍କ ଉପରେ ସେ ଭରସା କରିପାରିବେ । ଏବେ ଜେଡିୟୁର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏବଂ ଉପାଧ୍ୟକ୍ଷ ଦୌଡ଼ରେ ମୁଖତଃ ପାଞ୍ଚ ଜଣ ନେତା ଥିବା କୁହାଯାଉଛି । ସେମାନେ ହେଲେ ରାମଚନ୍ଦ୍ର ପ୍ରସାଦ ସିଂହ, ରାଜୀବ ରଞ୍ଜନ ଓରଫ ଲଲନ ସିଂହ, ସଂଜୟ ଝା, ଅଶୋକ ଚୌଧୁରୀ ଏବଂ ବିଜୟ କୁମାର ଚୌଧୁରୀ ।
ରାମଚନ୍ଦ୍ର ପ୍ରସାଦ ସିଂହ ଉତ୍ତର ପ୍ରଦେଶ କ୍ୟାଡରର ପ୍ରଶାସନିକ ଅଧିକାରୀ ଥିଲେ। ଯେତେବେଳେ ନୀତିଶ କୁମାର ରେଳ ମନ୍ତ୍ରୀ ଥିଲେ, ସେତେବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ ଶ୍ରୀ ସିଂହ। ସେ ନୀତିଶଙ୍କ ଦ୍ୱାରା ପ୍ରଭାବିତ ହୋଇ ଚାକିରି ଛାଡ଼ି ଜେଡିୟୁରେ ସାମିଲ ହୋଇଥିଲେ। ସେ ନୀତିଶଙ୍କର ଅତି ଘନିଷ୍ଠ ହେବା ସହ ଗତ ୨୫ ବର୍ଷ ତାଙ୍କର ସାଥ୍ ଦେଇ ଆସୁଛନ୍ତି। ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି । ସେହିପରି ଗତ ୩୦ ବର୍ଷ ହେଲା ରାଜୀବ ରଞ୍ଜନ ଓରଫ ଲଲନ ସିଂହ ନୀତିଶ କୁମାରଙ୍କ ସାଥ୍ ଦେଇ ଆସୁଛନ୍ତି । ଅନ୍ୟତମ ନେତା ସଂଜୟ ଝା ଜଳ ସଂପଦ ମନ୍ତ୍ରୀ ଅଛନ୍ତି । ସେ ବି ନୀତିଶଙ୍କର ଘନିଷ୍ଠ ବୋଲି କୁହାଯାଉଛି। ବିହାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ଚୌଧୁରୀ ଓ ବିଧାନସଭା ବାଚସ୍ପତି ବିଜୟ ଚୌଧୁରୀ ମଧ୍ୟ ନୀତିଶଙ୍କର ନିକଟତମ ହୋଇଥିବା ହେତୁ ଏଦୁଇ ନେତାଙ୍କ ନାମକୁ ନେଇ ବି ଚର୍ଚ୍ଚା ଚାଲିଛି।