Fri. Nov 22nd, 2024

ଦିଲ୍ଲୀ ନିର୍ବାଚନ ପାଇଁ ସରିଲା ପ୍ରଚାର, ଶନିବାର ଭୋଟ

1 min read
Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶନିବାର ମତଦାନ ହେବାକୁ ଥିବା ବେଳେ ଆଜି ଶେଷ ହୋଇଛି। ଆସନ୍ତାକାଲି ହେବ ଅନ୍ଧାରିବିଜେ। ନୂଆ ସରକାର ପାଇଁ ଦିଲ୍ଲୀବାସୀ ଏଥର କାହାକୁ ଆପଣେଇଲେ ତାହା ୧୧ ତାରିଖ ଦିନ ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ। ଆଜି ପ୍ରଚାରର ଶେଷଦିନରେ ୩ ପ୍ରମୁଖ ଦଳ ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରୟାସ କରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ପ୍ରଚାରରେ ସାମିଲ ହୋଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ରୋଡ ସୋ’ କରିଛନ୍ତି।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀବାସୀଙ୍କ ମନ କିଣିବାକୁ ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମୈଦାନକୁ ଓହ୍ଲାଇ ମୋଦୀଙ୍କୁ ଘନଘନ ଆକ୍ରମଣ କରିଛନ୍ତି । ଏମିତିକି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କୁ ୬ମାସ ପରେ ଦେଶର ଯୁବପିଢ଼ି ମାଡ ମାରିବେ ବୋଲି କହିବାକୁ ପଛାଇ ନାହାନ୍ତି ରାହୁଲ । ସେପଟେ ରାହୁଲଙ୍କ ମାଡ ଫର୍ମୁଲାର ମଉଜିଆ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେବେ ଦିଲ୍ଲୀ ଆସନରେ ବସିଥିବା ଆପକୁ ଏଥର ଧରାଶାୟୀ କରି ପଦ୍ମ ଫୁଟାଇବାକୁ ବିଜେପି ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଜାତୀୟ ନେତାଙ୍କ ସହ ଦିଲ୍ଲୀରେ ଥିବା ଓଡିଆ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରଚାର ମଙ୍ଗ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପତ୍ନୀ ମୃଦୁଳା ପ୍ରଧାନ ମଧ୍ୟ ବିଜେପି ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ଭୋଟଗଣତି ହେବ । ଦିଲ୍ଲୀରେ ଲାଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବା ବେଳେ ବିଜେପି ବି ଏଥର ସରକାର ଗଢିବ ବୋଲି ଆଶା ରଖିଛି ।

Copyright © All rights reserved.