ଦିଲ୍ଲୀ ନିର୍ବାଚନ : କେଜ୍ରିୱାଲଙ୍କ ପାଇଁ ନୂଆ ସୁଯୋଗ
1 min readନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ବିପୁଳ ବିଜୟ ଜାତୀୟସ୍ତରରେ ମଧ ଏହି ଦଳ ପାଇଁ ଏବେ ନୂଆ ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କାଏମ ରହିଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପିର ପରାଜୟ ତାଙ୍କ ପାଇଁ ଝଟ୍କା ହୋଇଛି। ଦିଲ୍ଲୀ ନିର୍ବାଚନରେ ବିଜୟ ପାଇଁ ବିଜେପି ତା’ର ସବୁ ଶକ୍ତି ଖଟାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ମଧ୍ୟ ପୁଂଜି କରି ସେହି ଆଧାରରେ ପ୍ରଚାର କରିଥିଲା। କିନ୍ତୁ ବିଜେପିର ଏହି ରଣନୀତି ମଧ୍ୟ ଫେଲ୍ ମାରିଲା। ଗତ ସାଧାରଣ ନିର୍ବାଚନରେ ବିଜେପି ଦିଲ୍ଲୀରେ ୫୦ ପ୍ରତିଶତ ଭୋଟ୍ ହାସଲ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଦିଲ୍ଲୀବାସୀଙ୍କର ଏଭଳି ସମର୍ଥନ ଦେଖି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତାଙ୍କ ରଣନୀତି ବଦଳାଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମୁହଁ ଖୋଲିନଥିଲେ।
ବିଗତ ୫ ବର୍ଷ ମଧ୍ୟରେ କେଜ୍ରିୱାଲ ଦିଲ୍ଲୀରେ ଅତି କଠିନ ସମୟ ଦେଇ ଗତି କରିଛନ୍ତି। ଦଳର ବହୁ ନେତା ବିଦ୍ରୋହକରି ଦଳ ଛାଡ଼ିବା, କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ସ୍ଥିତି ଏବଂ ଗତ ଲୋକସଭା ନିର୍ବାଚନରେ ମୂଳପୋଛ ଅବସ୍ଥା କେଜ୍ରିୱାଲଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ଏଥିରୁ ଶିକ୍ଷାଲାଭ କରି ସେ ତାଙ୍କର ରଣନୀତି କାର୍ଯ୍ୟକାରୀ କରିଥିଲେ ଏବଂ ଦିଲ୍ଲୀରେ ୭୦ରୁ ୬୨ ଆସନ ଦଖଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏବେ କେଜ୍ରିୱାଲ ଦିଲ୍ଲୀ ମଡେଲକୁ ପାଥେୟ କରି ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆପ୍ର ଶକ୍ତି ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି। ବିଜେପି ବିରୋଧରେ ଆଗକୁ ଆପ୍ ଅଧିକ ଆକ୍ରମଣାତ୍ମକ ହେବ ଏବଂ ବିଭିନ୍ନ ଜାତୀୟ ଏବଂ ଆଂଚଳିକ ପ୍ରସଙ୍ଗରେ ରାଜ୍ୟଗୁଡ଼ିକରେ ବିଜେପିକୁ ଘେରିବାକୁ ଯୋଜନା କରିଛି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଦିଲ୍ଲୀର ପରିଣାମ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି। ଦିଲ୍ଲୀରେ ଦଳ ପାଇଁ ଅସ୍ତିତ୍ବ ସଙ୍କଟ ସୃଷ୍ଟି ହୋଇଥିବାରୁ ସାଂଗଠନିକ ପୁନର୍ବିନ୍ୟାସ ଦିଗରେ ରାହୁଲ କିଛି ବଡ଼ ପଦକ୍ଷେପ ନେବେ ବୋଲି କୁହାଯାଉଛି।