କରୋନା ଯୋଗୁଁ ପ୍ରଭାବିତ ହେବ ଭାରତୀୟ ଅର୍ଥନୀତି
1 min readନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ଏକ ବଡ଼ ଧରଣର ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ନିଜ ନିଜର ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଅର୍ଥନୈତିକ ପ୍ୟାକେଜ ଘୋଷଣା କରୁଛନ୍ତି । ଭାରତ ଏପର୍ଯ୍ୟନ୍ତ କୌଣସି ପ୍ୟାକେଜ ଘୋଷଣା କରିନଥିଲେ ମଧ୍ୟ ଆଗକୁ ଅର୍ଥନୀତିକୁ ସଜାଡ଼ିବାକୁ କେତେକ ଯୋଜନା ସଂପର୍କରେ ବିଚାର କରାଯାଉଥିବା ଜଣାଯାଇଛି ।
ବିଶେଷକରି କରୋନା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ପାଇଁ ସହାୟତା ପ୍ୟାକେଜ, ଋଣ ସବସୀଡି, ଋଣ ପୁନର୍ଗଠନ, ଋଣଛାଡ଼, ଜିଏସଟି ଛାଡ଼ ଆଦି ସଂପର୍କରେ ବିଚାର କରାଯାଉଛି । ସେହିପରି ପର୍ଯ୍ୟଟନ, ହୋଟେଲ, ବିମାନ ଚଳାଚଳ, ଉତ୍ପାଦନ ଉଦ୍ୟୋଗ ପାଇଁ ସରକାର ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ।