କରୋନାଭାଇରସ ସଂକ୍ରମଣର ସାଧାରଣ ଲକ୍ଷଣ
1 min readଜ୍ୱର ଓ ଶୁଖିଲା କାଶ କରୋନାଭାଇରସ୍ ରୋଗର ଅତି ସାଧାରଣ ଲକ୍ଷଣ ହୋଇଥିଲେ ମଧ୍ୟ କେତେକ ଆକ୍ରାନ୍ତଙ୍କ ଠାରେ ଝାଡ଼ାବାନ୍ତି ଓ ଘ୍ରାଣଶକ୍ତି କ୍ଷୟ ହେବା ପରି ଲକ୍ଷଣ ଦେଖାଯାଇଛି । ଊହାନରେ ୧୯୧ ଜଣ ରୋଗୀଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏ କଥା ଜଣାପଡ଼ିଛି ।
କରୋନାଭାଇରସ୍ ଶ୍ୱାସପ୍ରଶ୍ୱାସ ପଥରେ ଥିବା ରିସେପ୍ଟରରେ ଲାଖି ଯାଇ କୋଭିଡ୍-୧୯ (ରୋଗ) ସୃଷ୍ଟି କରେ । ପ୍ରଥମେ ଏହି ଭୂତାଣୁ ତଣ୍ଟିର ପଶ୍ଚାତ୍ ଭାଗକୁ ଆକ୍ରମଣ କରେ ଏବଂ ପରେ ଫୁସଫୁସ ମଧ୍ୟକୁ ଖସିଯାଇ ପ୍ରଦାହ ସୃଷ୍ଟିକରେ ।
ଶରୀରରେ ପ୍ରବେଶ କରିବା ପରେ କରୋନାଭାଇରସ୍ ହାରାହାରି ୫ଦିନରେ ବିକଶିତ ହୁଏ ଏବଂ ତା’ପରେ ଜ୍ୱର କରାଇଥାଏ । ତିନି ଦିନରେ ଦେଖାଦେଉଥିବା ଲକ୍ଷଣ ସମୟରେ ଭାଇରସ୍ ତଣ୍ଟି ଭିତରର ପଛପଟରେ ଥିବା ଶ୍ୱାସପ୍ରଶ୍ୱାସ କୋଷିକାରେ ଲାଖିରହିଥାଏ । କୋଷିକାରେ ଥିବା ଆଞ୍ଜିଓଟେନସିନ୍-କନଭର୍ଟିଙ୍ଗ୍ ଏନଜାଇମ୍-ଟୁ ନାମକ ରିସେପ୍ଟରରେ ଲାଖି ରହିବା ପାଇଁ ଭାଇରସ୍ ନିଜ ଦେହରେ ଥିବା କଣ୍ଟା ଭଳି ଦିଶୁଥିବା ପ୍ରୋଟିନକୁ ବ୍ୟବହାର କରେ । ଫଳରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ଶୁଖିଲା କାଶ ହୁଏ ।
ଚତୁର୍ଥ ଓ ନବମ ଦିନ ମଧ୍ୟରେ କରୋନାଭାଇରସ୍ ଫୁସଫୁସକୁ ଆକ୍ରାନ୍ତ କରୁଥିବାରୁ ଶ୍ୱାସକ୍ରିୟା କଷ୍ଟକର ହୋଇଥାଏ । ତା’ପରେ ନିମୋନିଆ ଏବଂ ଫୁସଫୁସ ଥଳିଗୁଡ଼ିକ ତରଳ ପଦାର୍ଥ ଏବଂ ପୁଜରେ ପୂର୍ଣ୍ଣ ହୋଇଯାଏ ।
ତେଣୁ, ଜର, ଶୁଖିଲା କାଶ ଏବଂ କଷ୍ଟକର ଶ୍ୱାସକ୍ରିୟା କରୋନାଭାଇରସ୍ ଆକ୍ରମଣର ପ୍ରାଥମିକ ଉପସର୍ଗ ବୋଲି ଡାକ୍ତରମାନେ କହୁଛନ୍ତି । ଏହାଛଡ଼ା ଦେହ ଚୋଇବା, ଝାଡ଼ା ଓ ବାନ୍ତି ହେବା ଲକ୍ଷଣ ମଧ୍ୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ଠାରେ ଦେଖାଯାଉଥିବା କଥା ଆମେରିକାର କେତେକ ଡାକ୍ତର ଲକ୍ଷ୍ୟ କରିଛନ୍ତି । କିନ୍ତୁ, କେଉଁ କାରଣ ପାଇଁ କୋଭିଡ୍-୧୯ ସଂକ୍ରାନ୍ତଙ୍କ ଠାରେ ଏତେ ପ୍ରକାରର ଉପସର୍ଗ ଦେଖାଦେଉଛି ତାହା ଡାକ୍ତରମାନେ ଏ ପର୍ଯ୍ୟନ୍ତ ଜାଣି ପାରୁନାହାନ୍ତି ।
ଅନ୍ୟ କେତେକ ଡାକ୍ତର କହୁଛନ୍ତି ଯେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ସାମର୍ଥ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି । ତେଣୁ ବ୍ୟକ୍ତିବିଶେଷଙ୍କୁ ନେଇ କରୋନାଭାଇରସ ସଂକ୍ରମଣର ପ୍ରକୋପ ପ୍ରକାଶ ପାଇଥାଏ ।