ଜାଣନ୍ତୁ ଅବସର ପାଇଁ ଅଗଷ୍ଟ୧୫କୁ କାହିଁକି ବାଛିଥିଲେ ଧୋନି ଓ ରାଇନା
1 min readନୂଆଦିଲ୍ଲୀ: ସୁରେଶ ରାଇନା ଏବଂ ତାଙ୍କ ମାର୍ଗଦର୍ଶକ ମହେନ୍ଦ୍ର ସିଂହ ଧୋନି ଗତ ଶନିବାର (ଅଗଷ୍ଟ ୧୫ ତାରିଖ) ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ପ୍ରଥମେ ଧୋନି ତାଙ୍କ ଦୁଇ ଧାଡ଼ିଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଦେଶବାସୀଙ୍କୁ ହତ୍ବାକ୍ କରିଦେବା ପରେ ରାଇନା ତାଙ୍କ (ଧୋନି) ସହ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳୀୟ ସାଥୀଙ୍କ ସହ ବସିଥିବାର ଏକ ଫଟୋ ପୋଷ୍ଟ କରି ”ମୁଁ ତୁମ ସହ ଏହି ଯାତ୍ରାରେ ଯୋଗଦେବାକୁ ବାଛିଲି” ବୋଲି କ୍ୟାପ୍ସନ୍ ଲେଖିଥିଲେ। କିନ୍ତୁ ଏହା କ’ଣ ଏକ ସ୍ବତଃପ୍ରବୃତ୍ତ ନିଷ୍ପତ୍ତି ଥିଲା କି? ଜଣକୁ ଅନୁସରଣ କରି ବଡ଼ ଭାଇଙ୍କ ପଥଗାମୀ ହେଲେ କି? କିମ୍ବା ପୂର୍ବରୁ ଉଭୟ ରାଇନା ଓ ଧୋନି ସେମାନଙ୍କ ଅବସର ନେଇ ଆଲୋଚନା କରିଥିଲେ କି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଗଲେ। ହେଲେ ରାଇନା ଏସବୁ ପ୍ରଶ୍ନର ଉତ୍ତର ଖୋଲିଦେଇଛନ୍ତି।
ଗତ ଶୁକ୍ରବାର ଦିନ ଆଇପିଏଲ୍ ଶିବିରରେ ଯୋଗଦେବାକୁ ଚେନ୍ନାଇ ପହଞ୍ଚିବା ପୂର୍ବରୁ ହିଁ ଆମେ ଉଭୟ ଅବସର ନିଷ୍ପତ୍ତି ନେଇସାରିଥିଲୁ ବୋଲି ନିକଟରେ ଖୁଲାସା କରିଛନ୍ତି ରାଇନା। ମୁଁ ଜାଣିଥିଲି ଯେ ଧୋନି ଚେନ୍ନାଇ ପହଞ୍ଚିବା ମାତ୍ରେ ଅବସର ଘୋଷଣା କରିଦେଇପାରନ୍ତି। ସେଥିପାଇଁ ମୁଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲି ବୋଲି କହିଛନ୍ତି ରାଇନା। ଆମେ ଅଗଷ୍ଟ ୧୫ରେ ଅବସର ଘୋଷଣା କରିବାକୁ ମାନସିକ ଭାବେ ସ୍ଥିର କଲୁ। ମାହି ଭାଇଙ୍କ ଜର୍ସି ନମ୍ବର ୭ ଏବଂ ମୋର ୩ ଏବଂ ଉଭୟଙ୍କ ସଂଖ୍ୟାକୁ ଯୋଡ଼ିଲେ ହେଉଛି ୭୩। ପୁଣି ଶନିବାର ଆମ ଦେଶ ସ୍ବାଧୀନ ହେବାର ୭୩ ବର୍ଷ ପୂରିଯାଉଥିଲା। ତେଣୁ ଏଭଳି ଏକ ସଂଖ୍ୟାର ସଂଯୋଗ ଦୃଷ୍ଟିରୁ ଅବସର ଘୋଷଣା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ ସର୍ବୋକୃଷ୍ଟ ଦିବସ ଭାବେ ବିଚାରକଲୁ ବୋଲି ସ୍ପଷ୍ଟ କରିଛନ୍ତି ରାଇନା। ଆଉ ସେହି ସଂଧ୍ୟାରେ ସବୁକିଛି ଯୋଜନା ମୁତାବକ ଚାଲିଲା। ଚେନ୍ନାଇ ସୁପର କିଙ୍ଗ୍ସର ଟ୍ବିଟର ହ୍ୟାଣ୍ଡେଲ ଏକ ଭିଡିଓ ପୋଷ୍ଟ କରିଥିଲା। ସେଥିରେ ଉଭୟ ଖେଳାଳି ସେମାନଙ୍କ ଅବସର ଘୋଷଣା କରୁଥିଲେ ଏବଂ ଭାବପ୍ରବଣ ହୋଇଯାଇଥିବା ରାଇନା ସାଧୀ ଧୋନିଙ୍କୁ କୋଳେଇବାର ଦେଖାଯାଇଥିଲା। ସେହିଭଳି ଭାବପ୍ରବଣତା ମଧ୍ୟରେ ଅଭ୍ୟାସ ସେସନ ପରେ ପରେ ଦୁହେଁ ମଧ୍ୟ ଦଳୀୟ ବସ୍କୁ ଚଢ଼ିଥିଲେ। ଆମେ ଆମର ଅବସର ଘୋଷଣା କରିବା ପରେ ଦୁହେଁ ଖୁବ୍ କାନ୍ଦିଥିଲୁ। ମୁଁ, ପୀୟୂଷ ଚାୱଲା, ଅମ୍ବାତି ରାୟୁଡୁ, କେଦାର ଯାଦବ ଏବଂ କନ ଶର୍ମା ଏହାପରେ ଏକାଠି ବସି ଆମମାନଙ୍କ କ୍ୟାରିୟର ଓ ସଂପର୍କକୁ ନେଇ ଆଲୋଚନା କରିଥିଲୁ। ଶେଷରେ ରାତ୍ରିରେ ପାର୍ଟି କରିଥିଲୁ ବୋଲି ରାଇନା କହିଛନ୍ତି।