Fri. Nov 22nd, 2024

ସିଡବ୍ଲ୍ୟୁସି ପୂର୍ବରୁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

1 min read
Spread the love

ନୂଆଦିଲ୍ଲୀ : ଦିନକୁ ଦିନ ଲୋକପ୍ରିୟତା ହରାଉଥିବା କଂଗ୍ରେସ ଦଳ‌ରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦଳର ୨୩ ଜଣ ବରିଷ୍ଠ ନେତା ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିବା ପରେ ଦଳ ଭିତରେ କଂପନ ସୃଷ୍ଟି ହୋଇଛି। ଏହି ପତ୍ରକୁ ଗାନ୍ଧି ପରିବାରର ନେତୃତ୍ବ ପ୍ରତି ଚାଲେଞ୍ଜ କୁହାଯାଉଥିବା ବେଳେ ଏଥିରେ ଭୀଷଣ ବିରକ୍ତି ପ୍ରକାଶ କରି ତାଙ୍କ ପଦରୁ ଇସ୍ତଫା ଦେବାଲାଗି ସୋନିଆ ଗାନ୍ଧି ଧମକ ଦେଇଥିବା କୁହାଯାଉଛି। ତେବେ ଦେଶ ଏବଂ ଦଳ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ନେତୃତ୍ବ ପରିବର୍ତନ ପାଇଁ ଏବେ ଉପଯୁକ୍ତ ସମୟ ନୁହେଁ ବୋଲି ଅନେକ ନେତା ମତ ପ୍ରକାଶ କରିଛନ୍ତି। ସେମାନେ ସୋନିଆ ଏବଂ ରାହୁଲଙ୍କୁ ସମର୍ଥନ ଜଣାଇଛନ୍ତି। ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ହେବାକୁ ଯାଉଥିବାରୁ ଦଳ ଭିତରେ ଦୁଇ ପ୍ରକାର ମତ ଜାତୀୟ ରାଜନୀତିକୁ ସରଗରମ କରିଛି।

୨୩ ଜଣଙ୍କ ପତ୍ର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ‌ସୋନିଆ କିଛି ନେତାଙ୍କୁ ଡାକି ସଭାପତି ପଦରୁ ଓହରିଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ଏକାଠି ହୋଇ ନୂଆ ମୁଖ୍ୟ ଚୟନ କରନ୍ତୁ। ସେ ଏହି ଦାୟିତ୍ବରେ ଅଧିକ ଦିନ ରହିବାକୁ ଆଗ୍ରହୀ ନୁହନ୍ତି। ଗତ ଲୋକସଭା ନିର୍ବ‌ାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବାପରେ ସୋନିଆଙ୍କୁ ବର୍ଷକ ପାଇଁ ଅନ୍ତରୀଣ ସଭାପତି ଚୟନ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂଆ ସଭାପତି ଚୟନ କରାଯାଉ ବୋଲି ସୋନିଆ କହିଥିବା ବିଷୟ ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି।ତେବେ ସୋନିଆା ଏବଂ ରାହୁଲଙ୍କୁ ସମର୍ଥନ କରି ଆଗେଇ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଛତିଶଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ନେତୃତ୍ବ ପରିବର୍ତନ ପାଇଁ ବରିଷ୍ଠ ନେତାଙ୍କ ପତ୍ରକୁ ନାପସନ୍ଦ କରି ଅମରିନ୍ଦର କହିଛନ୍ତି ଯେ ଏବେ ଦେଶରେ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବା ଲାଗି ଏନଡିଏ ସରକାର ଉଦ୍ୟମ କରୁଥିବା ବେଳେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି। ସୋନିଆ ଗାନ୍ଧୀ ହିଁ ଦଳର ଠିକ୍ ନେତୃତ୍ବ ନେଇପାରିବେ। ସେହିଭଳି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ସୋନିଆ ହିଁ କଂଗ୍ରେସ ନେତୃତ୍ବ ପାଇଁ ଯୋଗ୍ୟ। ତେବେ ଯଦି ସେ ପଦତ୍ୟାଗ କରିବାକୁ ସ୍ଥିର କରି ସାରିଛନ୍ତି ତାହାହେଲେ ରାହୁଲ ଗାନ୍ଧିଙ୍କୁ ତୁରନ୍ତ ସଭାପତି କରାଯାଉ। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଂଜନ ଚୌଧୁରୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ କୁମାର ମଧ୍ୟ ଗାନ୍ଧୀ ପରିବାରକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ମିଳିତ ନେତୃତ୍ବ ଚିନ୍ତାଧାରାକୁ ସେମାନେ ବିରୋଧ କରିଛନ୍ତି। ଏହି ପତ୍ରକୁ ରାହୁଲଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସଂଜୟ ନିରୁପମ।

Copyright © All rights reserved.