ଜିଏସ୍ଟି କ୍ଷତିପୂରଣ ଲଢ଼େଇ ଜୋରଦାର ହେବ
1 min readନୂଆଦିଲ୍ଲୀ : ଋଣ ଜରିଆରେ ଜିଏସ୍ଟି କ୍ଷତିପୂରଣ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଯେଉଁ ଦୁଇଟି ପ୍ରସ୍ତାବ ଦେଇଥିଲେ ତାହାକୁ ଆଜି ୬ଟି ଅଣ-ବିଜେପି ଶାସିତ ରାଜ୍ୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଆଇନଗତ ଦାୟିତ୍ବକୁ ମନେ ପକାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳର ପିନାରାୟି ବିଜୟନ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍, ତାମିଲନାଡ଼ୁର ଇ କେ ପଲାନିସ୍ବାମୀ, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ଓ ଛତିଶଗଡ଼ର ଭୂପେଶ ବାଘେଲ ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି। ଋଣ ଜରିଆରେ କ୍ଷତିପୂରଣ ରାଶିର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଦୁଇଟି ବିକଳ୍ପ ପ୍ରଦାନ କରିଥିଲା। ଏହି ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦାୟିତ୍ବ ମନେ ପକାଇ ଦେବା ସହ କହିଛନ୍ତି ଯେ ଯଦି ରାଜ୍ୟଗୁଡ଼ିକ ଋଣ କରିବେ ତେବେ ପରିଶୋଧ ବେଳେ ତାହା ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ। କେନ୍ଦ୍ର ନିଜେ ଋଣ କରୁ ଏବଂ ଦରକାର ପଡ଼ିଲେ ୨୦୨୨ ପରେ ମଧ୍ୟ ସେସ୍ ଆଦାୟ ଜାରି ରଖାଯାଉ ବୋଲି ଏହି ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା କେନ୍ଦ୍ରର ୯୭ ହଜାର କୋଟି ଟଙ୍କା ଋଣ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି।
ଜିଏସ୍ଟି କ୍ଷତିପୂରଣ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ଲାଗି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଯାଇଛନ୍ତି। ତେଣୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ରାଜ୍ୟଗୁଡ଼ିକ ପାଖରେ ଥିବା କ୍ଷମତାକୁ କେନ୍ଦ୍ର ବିଭିନ୍ନ ଉପାୟରେ ହରଣ କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛନ୍ତି। ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ବିପଦ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେଭଳି ଏକ ସମୟରେ ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ମହାମାରୀ ମୁକାବିଲା କରୁଥିବା ମୋଦୀ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ।