ଡିସେମ୍ବର ଭିତରେ ଋଣ କରିବନି ଓଡ଼ିଶା
1 min readଭୁବନେଶ୍ବର, : ଆସନ୍ତା ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ବଣ୍ଡ୍ ଜରିଆରେ ବଜାରରୁ ଋଣ ଉଠାଇବା ଲାଗି ଓଡ଼ିଶାର କୌଣସି ଯୋଜନା ନଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଗୁଡ଼ିକ ଋଣ କରିବାକୁ ରଖିଥିବା ଯୋଜନା ସମ୍ପର୍କିତ ତଥ୍ୟ ଜାରି କରାଯାଇଛି। ସେଥିରେ ଓଡ଼ିଶାର ନାମ ନାହିଁ। ଡିସେମ୍ବର ମଧ୍ୟରେ ବିଭିନ୍ନ ରାଜ୍ୟ ବଜାରରୁ ୨ ଲକ୍ଷ ୨ ହଜାର ୨୪୨ କୋଟି ଟଙ୍କାର ଋଣ କରିବେ। ପ୍ରତି ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଣ୍ଡ୍ ନିଲାମ କରାଯିବ।
ଅକ୍ଟୋବର ମାସରେ ୬, ୧୩, ୨୦ ଓ ୨୭ ତାରିଖରେ ବିଭିନ୍ନ ରାଜ୍ୟ ୬୬ ହଜାର ୫୩୧ କୋଟି ଟଙ୍କାର ଋଣ କରିବେ। ଆନ୍ଧ୍ର, ଛତିଶଗଡ଼, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ କେରଳ ବିଭିନ୍ନ ପର୍ଯ୍ୟାୟରେ ବଜାରରୁ ଋଣ ହାସଲ କରିବେ। ନଭେମ୍ବର ମାସରେ ୩, ୧୦, ୧୭ ଓ ୨୪ ତାରିଖରେ ରାଜ୍ୟଗୁଡ଼ିକ ୬୬,୦୮୩ କୋଟି ଟଙ୍କାର ଋଣ କରିବେ। ଏହି ମାସରେ ମଧ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାନା, ପଞ୍ଜାବ, ରାଜସ୍ଥାନ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ବଜାରରୁ ଋଣ କରିବେ। ଡିସେମ୍ବର ମାସରେ ୧, ୮, ୧୫, ୨୨ ଓ ୨୯ ତାରିଖରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୬୯,୬୨୮ କୋଟି ଟଙ୍କାର ଋଣ କରିବେ ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ଡିସେମ୍ବରରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ ଓ ତେଲେଙ୍ଗାନା ଭଳି ରାଜ୍ୟ ଋଣ କରିବେ।