୨୦୧୭-୧୮ରେ ୭୯୫ କୋଟିର ରାଜସ୍ବ ହାନି
1 min readଭୁବନେଶ୍ବର: ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଟିକସ ଓ ଅଣଟିକସ ରାଜସ୍ବ ବାବଦରେ ୭୯୫.୧୮ କୋଟି ଟଙ୍କା ହରାଇଛନ୍ତି। ସିଏଜି ଅଡିଟ୍ ବେଳେ ଏହି ତଥ୍ୟ ପଦାକୁ ଆସିଛି। ବିଧାନସଭାରେ ଆଜି ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି, ଟିକସ ଓ ଅଣି ଟିକସ ରସିଦ ଯାଞ୍ଚ ବେଳେ ଏହା ଜଣାପଡ଼ିଛି ଯେ ଟିକସ ଆକଳନକୁ କମ୍ କରିବା, ଅଳ୍ପ ଟିକସ ଲଗାଇବା ଏବଂ ରାଜସ୍ବ କ୍ଷତି ଯୋଗୁ ରାଜକୋଷକୁ ଏହି ୭୯୫ କୋଟି ୧୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହାବ୍ୟତୀତ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗର ବାଣିଜ୍ୟ କର ଶାଖାର ୧୪୦୧ଟି ବିଭିନ୍ନ ଫାଇଲ ଯାଞ୍ଚ ପାଇଁ ଅଡିଟ୍ ବିଭାଗକୁ ମିଳିନାହିଁ। ଏହାର ରାଶି ପ୍ରାୟ ୨୦୦୪.୧୮ କୋଟି ଟଙ୍କା ବୋଲି କୁହାଯାଇଛି।ତେବେ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବରେ ଟିକସ ଓ ଅଣଟିକସ ରାଜସ୍ବ ଭାଗ ୨୦୧୬-୧୭ରେ ୪୧.୫୮ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୪୨.୬୦ ପ୍ରତିଶତକୁ ବୃଦ୍ଧି ପାଇଛି।
ସାମଗ୍ରୀ ବର୍ଗୀକରଣ ଠିକ୍ ଭାବେ ନକରିବା ଯୋଗୁ ଟିକସ ଆଦାୟ ମଧ୍ୟ ଠିକ୍ ମାତ୍ରାରେ ହୋଇପାରିନାହିଁ। ସରକାରଙ୍କୁ ଏ ବାବଦରେ ୬୪.୦୭ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି। ବାର୍ଷିକ ଅଡିଟ୍ ଆକାଉଣ୍ଟ ପ୍ରମାଣପତ୍ର (ସିଏଏଏ) ଦାଖଲ କରି ନଥିବାରୁ ଏ ବାବଦରେ ଡିଲରମାନଙ୍କ ଠାରୁ ୫.୦୧ କୋଟି ଟଙ୍କାର ଜରିମାନା ଆଦାୟ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିଭଳି ଲଘୁ ଖଣିଜ, ସିଏସଟି ଆଇନ ଓ ଓଡ଼ିଶା ଭାଟ୍ ଆଇନ ଆଦିକୁ ଠିକ୍ରେ କାର୍ଯ୍ୟକାରୀ କରା ନଯିବା ଯୋଗୁ ମଧ୍ୟ ରାଜ୍ୟ ରାଜକୋଷକୁ ବହୁତ ପରିମାଣର କ୍ଷତି ସହିବାକୁ ପଡ଼ିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।