Mon. Feb 24th, 2025

ବିହନ ଯୋଗାଇବାରେ ନିଗମ ବିଫଳ

1 min read
Spread the love

ଭୁବନେଶ୍ବର: ରାଜ୍ୟକୁ ବିହନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ସ୍ଥାପନ କରାଯାଇଥିବା ଓଡ଼ିଶା ରାଜ୍ୟ ବିହନ ନିଗମ ଅନେକ କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦିତ କରିପାରିନାହିଁ। ସିଏଜିଙ୍କ ସମୀକ୍ଷା ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତ ସରକାରଙ୍କ ବିହନ ପ୍ରଭାବୀ ଯୋଜନା ଅନୁସାରେ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ନିଗମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହା ୩୫.୮୦ ଲକ୍ଷ କ୍ବିଣ୍ଟାଲ୍ ବିହନ ଉତ୍ପାଦନ କରିବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ତା’ଠାରୁ ଯଥେଷ୍ଟ କମ୍ ଅର୍ଥାତ ୨୦୧୩-୧୮ ଭିତରେ ମାତ୍ର ୨୦.୩୫ ଲକ୍ଷ କ୍ବିଣ୍ଟାଲ୍ ବିହନ ଉତ୍ପାଦନ କରିଥିଲା। ପ୍ରମାଣିତ ବିହନ ଉତ୍ପାଦନ ଓ ବିତରଣରେ ଅଭାବ ରାଜ୍ୟର ବିହନ ବଦଳ ହାରକୁ ପ୍ରଭାବିତ କରିଥିଲା। ନିର୍ଧାରିତ ଲକ୍ଷ୍ୟ ଅନୁସାରେ ଉତ୍ପାଦନ ଯଥେଷ୍ଟ ନହେବାରୁ ପ୍ରତିବର୍ଷ ପ୍ରକ୍ରିୟାକରଣ କାରଖାନାର ସ୍ଥାପିତ କ୍ଷମତା କମ୍ ବ୍ୟବହାର ହୋଇଥିଲା। ସେଥିପାଇଁ ପାଞ୍ଚ ବର୍ଷ ଭିତରେ ୧୪.୪୭ ଲକ୍ଷ କ୍ବିଣ୍ଟାଲ୍ ବିହନ ପ୍ରକ୍ରିୟାକରଣରେ ୪.୩୯ କୋଟି ଟଙ୍କା କ୍ଷତି ହୋଇଥିଲା। ଆବଶ୍ୟକୀୟ ବିହନ ବିତରଣକୁ ନିଶ୍ଚିତ କରିବାରେ କୃଷି ବିଭାଗ ବିଫଳ ହୋଇଥିଲା। ନିଗମ ଦ୍ବାରା ମଧ୍ୟ ବିପଣନ ପାଇଁ ଯଥେଷ୍ଟ ପ୍ରଚେଷ୍ଟା କରାଯାଇନଥିଲା। ୨୦୧୩-୧୮ ଭିତରେ ୪.୨୪ ଲକ୍ଷ କ୍ବିଣ୍ଟାଲ୍ ନିକୃଷ୍ଟ ବିହନ ଅପସାରଣ କରି ନିଗମ ୪୧.୬୦ କୋଟି ଟଙ୍କାର କ୍ଷତି ସହିଥିଲା।

୨୦୧୩-୧୮ ଭିତରେ ରାଜ୍ୟ ପାଇଁ ଆବଶ୍ୟକ ହେଉଥିବା ବିହନ ଉତ୍ପାଦନ କରିବାରେ ନିଗମ ବିଫଳ ହୋଇଥିଲା। ସେଥିପାଇଁ ୧୩.୦୩ କୋଟ ଟଙ୍କା ବ୍ୟୟରେ ବାହାର ସଂସ୍ଥା ଠାରୁ ୧.୪୩ ଲକ୍ଷ ଟନ୍ ବିହନ କିଣିବାକୁ ପଡ଼ିଥିଲା। ବିହନର ଗୁଣବତ୍ତା ଜାଣିବା ଲାଗି ନିଗମରେ କୌଣସି ଗୁଣବତ୍ତା ବିଭାଗ ନାହିଁ ବୋଲି ସିଏଜି ନିଜ ରିପୋ‌ର୍ଟରେ ଜଣାଇଛନ୍ତି। ସେଥିପାଇଁ ୨.୩୯ ଲକ୍ଷ କ୍ବିଣ୍ଟାଲ୍ ବିହନର ଗୁଣବତ୍ତା ପରୀକ୍ଷା ହୋଇନପାରିବାରୁ ସେଗୁଡ଼ିକୁ ନିକୃଷ୍ଟ ମାନର ଘୋଷଣା କରାଯାଇଥିଲା। କେବଳ ସେତିକି ନୁହେଁ ନିଗମ ପରିଚାଳନାରେ ରହିଥିବା ତ୍ରୁଟିକୁ ମଧ୍ୟ ସିଏଜି ଧରିଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ନିଗମର ବାର୍ଷିକ ହିସାବ ବକେୟା ଥିଲା। ନିର୍ଦେଶକ ମଣ୍ଡଳୀ ଓ ସମୀକ୍ଷା ସମିତିର କାର୍ଯ୍ୟକ୍ରମରେ ଅଭାବ ପରିଲକ୍ଷିତ ହୋଇଥିଲା। ଆଭ୍ୟନ୍ତରୀଣ ସମୀକ୍ଷା ପଦ୍ଧତି ଅନୁପଯୁକ୍ତ ଥିଲା ଏବଂ ଶ୍ରମଶକ୍ତି ପ୍ରବନ୍ଧନ ଓ ଅନ୍ୟାନ୍ୟ ନିୟନ୍ତ୍ରଣରେ ତ୍ରୁଟି ରହିଥିଲା ।

Copyright © All rights reserved.