Fri. Nov 22nd, 2024

ତିର୍ତ୍ତୋଲ ପରେ ବାଲେଶ୍ୱରରେ ଦଳଡିଆଁ ରାଜନୀତି ଆରମ୍ଭ

1 min read
Spread the love

ବାଲେଶ୍ୱର/ଜଗତ୍‌ସିଂହପୁରଟାଉନ/ତିର୍ତ୍ତେ‌ାଲ : ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ। ତା’ ପୂର୍ବରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ରାଜନୀତି ଉଷ୍ମ ହୋଇଉଠିଛି। ଖାଲି ପ୍ରମୁଖ ନେତାଙ୍କ ଦଳବଦଳ ନୁହେଁ, ଦଳୀୟ କର୍ମୀଙ୍କ ବୈଠକରେ ତମ୍ବିତୋଫାନ ଦେଖିବାକୁ ମିଳିଛି। ଆଜି ଉଭୟ ନିର୍ବାଚନମଣ୍ଡଳୀରେ ଦୁଇଟି ବଡ଼ ଘଟଣା ଘଟିଛି। ବାଲେଶ୍ବରର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିବା ବେଳେ ବ୍ଲକ୍‌ ଅଧ୍ୟକ୍ଷ ନାରାୟଣ ପ୍ରଧ‌ାନ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପଟରେ, ତିର୍ତ୍ତୋଲରେ ବିଜେପି ପାର୍ଟି ଅଫିସ ଉଦ୍‌ଘାଟନ ବେଳେ ପ୍ରବଳ ଗଣ୍ଡଗୋଳ ସହ ଧସ୍ତାଧସ୍ତି ହୋଇଛି। ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନଙ୍କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ବାଲେଶ୍ବରରେ ଆଜି ଚର୍ଚ୍ଚାରେ ରହିଥିଲା ଦଳବଦଳ ଘଟଣା। ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ତଥା ପାଞ୍ଚଥରର ବିଧାୟକ ଅରୁଣ ଦେ ବିଜେଡିରେ ଯୋଗଦେଇଥିଲେ। ଶ୍ରୀ ଦେ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବାବେଳେ ଦଳ ଜୀବନପ୍ରଦୀପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଅରୁଣ ନିର୍ବାଚନ ନ ଲଢ଼ି ବିଜେଡିକୁ ସମର୍ଥନ କରିଥିଲେ ଏବଂ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ପାଇଁ ପ୍ରଚାର କରିଥିଲେ। ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ଦେ ଆଜି ବିଧିବଦ୍ଧ ବିଜେଡିରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ସଂଗଠନ ସମ୍ପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ବିଧାୟକ ଦେବୀ ମିଶ୍ର, ପ୍ରତାପ ଦେବ, ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ନଗରପାଳ ଆଲୋକ ସାହୁ, ସନ୍ତୋଷ ଖଟୁଆ, ବ୍ରିଟ୍‌ର ପୂର୍ବତନ ଅଧ୍ୟକ୍ଷ ଗୌରୀ ରାଉତ, ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଦେଙ୍କ ସମେତ ରଂଜନ ପ୍ରଧାନ, ରଂଜନ ବାଗ, କଂଗ୍ରେସ ନେତା ପ୍ରଦୀପ କୁମାର ପାତ୍ର ଏବଂ ସେମାନଙ୍କର ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ ।ବର୍ତ୍ତମା‌ନ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବ, ତାକୁ ନେଇ ଦଳରେ ଅନ୍ତଃକନ୍ଦଳ ଥମୁ ନଥିବାବେଳେ ଆଜି ବିଜେଡିରେ ଅରୁଣଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ତଃକନ୍ଦଳ ତୁଟାଇବା ପାଇଁ ଦଳ ହୁଏତ ଅରୁଣଙ୍କୁ ମଧ୍ୟସ୍ଥି କରାଯିବ କିମ୍ବା ଏଠାରୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଏହି ମିଶ୍ରଣ ପର୍ବରେ ଆଜି ବହୁ ସଂଖ୍ୟାରେ ମହିଳାନେତ୍ରୀ ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ସଦର ବ୍ଲକ ତଥା ବାଲେଶ୍ବର ପୌରାଞ୍ଚଳରେ ବିଭିନ୍ନ ଦଳ ଏବଂ ମହିଳା ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକରେ କାମ କରୁଥିବା ମହିଳା ନେତ୍ରୀମାନେ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଏହି ଦୃଷ୍ଟିରୁ ଦଳ ଏଠାରୁ ଜଣେ ମହିଳା ନେତ୍ରୀଙ୍କୁ ମଧ୍ୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

Copyright © All rights reserved.