ବାଙ୍ଗାଲୋରର ବଡ଼ ବିଜୟ, କୋଲକାତା ୮୨ ରନ୍ରେ ହାରିଲା
1 min readସାରଜା: ସୋମବାରର ଏକମାତ୍ର ଆଇପିଏଲ୍ ମ୍ୟାଚ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। କେକେଆର୍ ବ୍ୟାଟିଂ ସଂପୂର୍ଣ୍ଣ ବିଫଳ ହେବା ପରେ ଆର୍ସିବି ୮୨ ରନ୍ରେ ମ୍ୟାଚ୍ ଜିତି ନେଇଥିଲା। ତା’ ସହ ୭ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍ ଟେବୁଲର ଚତୁର୍ଥରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରି କେକେଆର୍ ତୃତୀୟରୁ ଚତୁର୍ଥକୁ ଖସିଥିଲା। ଆର୍ସିବି ନିର୍ଧାରିତ ୨୦ ଓଭରରେ ୧୯୪/୨ କରିଥିଲା ବେଳେ କେକେଆର୍ ୯ ୱିକେଟ୍ ହରାଇ ମାତ୍ର ୧୧୨ ରନ୍ କରି ପାରିଥିଲା।
୧୯୫ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା କେକେଆର୍ ୨୩ ରନ୍ରେ ଟମ୍ ବଣ୍ଟନ (୮)ଙ୍କୁ ହରାଇଥିଲା। ଏହା ପରେ ଭାଗୀଦାରି ଗଢ଼ିବା ପରିବର୍ତ୍ତେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ଶୁବମନ ଗିଲ୍ (୩୪ ରନ୍, ୨୫ ବଲ୍, ୩ ଚୌକା, ୧ ଛକା)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଯେମିତି ଆର୍ସିବି ବୋଲରଙ୍କ ପେସ୍, ବାଉନ୍ସ ଓ ଟର୍ନକୁ ଆଦୌ ବୁଝି ପାରି ନଥିଲେ। ଅଧିନାୟକ ଦୀନେଶ କାର୍ତ୍ତିକ (୧)ଙ୍କ ସହ ନୀତିଶ ରାଣା (୯), ଇଅନ ମୋର୍ଗାନ (୮) ଓ ଦାମୀ ଖେଳାଳି ପ୍ୟାଟ୍ କମିନ୍ସ (୧) ଏକ ଅଙ୍କରେ ସୀମିତ ରହି ଯାଇଥିଲେ। ଦୁଇ ବିସ୍ଫୋରକ ବୀର ଆନ୍ଦ୍ରେ ରସେଲ ଓ ରାହୁଲ ତ୍ରିପାଠୀ ପ୍ରତ୍ୟେକ ୧୬ ରନ୍ ଲେଖାଏଁ କରିଥିଲେ। ଆର୍ସିବି ଅଧିନାୟକ ବିରାଟ କୋହଲି ୬ ଜଣ ବୋଲରଙ୍କ ଉପଯୋଗ କରିଥିଲା ବେଳେ ସମସ୍ତେ ଅନ୍ୟୁନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। କ୍ରିସ୍ ମୋରିସ୍ ଓ ୱାସିଂଟନ୍ ସୁନ୍ଦର କିନ୍ତୁ ଦୁଇଟି ଲେଖାଏଁ ୱିକେଟ୍ ନେଇ କେକେଆର୍କୁ ଅଧିକ ଘାଇଲା କରିଥିଲେ। ଆର୍ସିବି ବୋଲିଂ ବାହିନୀର ଘନ ଘନ ଆକ୍ରମଣକୁ ପ୍ରତିହତ କରି ପାରି ନଥିବା କେକେଆର୍ ଶେଷରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।