Fri. Feb 7th, 2025

ଉପନିର୍ବାଚନ ପୂର୍ବରୁ ଗର୍ଜିଲେ ନିରଞ୍ଜନ

1 min read
Spread the love

ଭୁବନେଶ୍ୱର : ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ପଟ୍ଟନାୟକ ବିଜେଡି-ବିଜେପି ମଧ୍ୟରେ କିଭଳି ଅଘୋଷିତ ମେଣ୍ଟ ହୋଇଛି, ତାର ପର୍ଦ୍ଦାଫାସ୍‌ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହିତ ଉପନିର୍ବାଚନ ପୂର୍ବରୁ ଏହାର ଉତ୍ତର ମିଳିବା ଦରକାର ବୋଲି ଆଶା ପ୍ରକଟ କରିଛନ୍ତି।

ଶ୍ରୀ ପଟ୍ଟନାୟକ ପଚାରିଛନ୍ତି, ଆରଏସ୍‌ଏସ୍‌ ଓ ବିଜେପି ସହ ବିଜେଡିର ସମ୍ପର୍କ କଣ? ତାହା ଜନସାଧାରଣଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଏବେ ଆମେ ଦେଖୁଛୁ ବିଜେପି ପକ୍ଷରୁ ଯେତେ ବିଲ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ଆସୁଛି ସବୁ ବିଲ୍‌କୁ ବିଜେଡି ସମର୍ଥନ କରୁଛି। ସଂଖ୍ୟାଲଘୁଙ୍କ କ୍ଷତି କରିବା ପାଇଁ ଯେଉଁ ଏନଆର୍‌ସି ଓ ସିଏଏ ବିଲ ଆସିଲା ତାକୁ ବିଜେଡି ସମର୍ଥନ କଲା। ଗରିବଙ୍କୁ ଶୋଷଣ କରି ଶିଳ୍ପପତିଙ୍କୁ ସାହାଯ୍ୟ କରିବା ପାଇଁ ଚାଷୀମାନଙ୍କ ବିରୋଧରେ ଯେଉଁ ବିଲ୍‌ ଆସିଲା ତାକୁ ବି ବିଜେଡି ସମର୍ଥନ କଲା। କେବଳ ସେତିକି ନୁହେଁ, ଶ୍ରମିକ ମାନଙ୍କ ବିରୋଧରେ ଯେଉଁ ଆଇନ ତିଆରି ହେଲା ଯେ ୮ ଘଣ୍ଟାରୁ ୧୨ ଘଣ୍ଟା କାର୍ଯ୍ୟ କରିବା ପାଇଁ; ତାକୁ ବି ବିଜେଡି ସମର୍ଥନ କରିଛି। ଏସବୁ କାହିଁକି, ତାହା ରାଜ୍ୟବାସୀଙ୍କର ଜାଣିବା ଅଧିକାର ରହିଛି।ନବୀନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଉଛି। ଉଭୟ ପ୍ରଧାନମନ୍ତ୍ରୀ ଓ ଆପଣ (ମୁଖ୍ୟମନ୍ତ୍ରୀ)ଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଏହି ସମସ୍ୟା ଦୂର ହେଲା ନାହିଁ। ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ବେକାରି ସମସ୍ୟା ପହଞ୍ଚିଲା। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ମହିଳାମାନେ ସୁରକ୍ଷିତ ନାହାନ୍ତି। ଜିଏସ୍‌ଟି ବିଲ୍‌କୁ ବି ବିଜେଡି ସମର୍ଥନ କରିଛି, ଯଦିଓ ଓଡ଼ିଶା ରାଜ୍ୟ ଜିଏସଟି ବାବଦରେ ଯାହା ପାଇବା କଥା ତାକୁ ନ ଦେଇ କେନ୍ଦ୍ର ଋଣ କରିବାକୁ କହିଛି। ଏଥିରେ ବି ବିଜେଡି ସମ୍ମତି ଜଣାଇଛି। ଏ କ୍ଷେତ୍ରରେ ମଧ୍ୟ ବିଜେଡି କେନ୍ଦ୍ର ବିରୋଧରେ ପାଟି ଫିଟାଇଲା ନାହିଁ କାହିଁକି, ତାହା ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରାୀ ପ୍ରକାଶ କରିବା ଦରକାର।

Copyright © All rights reserved.