ପାଟଣାଗଡ଼ରେ ଲୋମଟାଙ୍କୁରା ଗଣହତ୍ୟା
1 min readବଲାଙ୍ଗୀର/ପାଟଣାଗଡ଼: ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। କୁନି କୁନି ଶିଶୁଙ୍କୁ ବି ଛାଡ଼ିନାହିଁ ହତ୍ୟାକାରୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ନିକଟ ସଅଁରାପଡ଼ା କୁସୁମତଲଠାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିର ବୋଲି ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଏସ୍ପି ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଏସ୍ପିଙ୍କ କହିବାନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ହତ୍ୟାକାରୀଙ୍କୁ ଧରିବାକୁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି। ବୁଧବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ କୁସମତଲରେ ରହୁଥିବା ବୁଲୁଙ୍କ ପରିବାର ସଦସ୍ୟ କେହି ଘରୁ ବାହାରି ନ ଥିଲେ। ଏହାକୁ ନେଇ ପଡ଼ାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପଡ଼ୋଶୀ ଘର ଲୋକ ଗତ ରାତିରେ ପାଟିତୁଣ୍ଡ ଶବ୍ଦ ଶୁଣିଥିବା କହିବା ପରେ ଲୋକେ ବୁଲୁଙ୍କ ଘର ସମ୍ମୁଖରେ ଜମା ହୋଇଥିଲେ। ବୁଲୁ ଓ ସ୍ତ୍ରୀଙ୍କୁ ଡାକିଥିଲେ ବି କେହି ଶୁଣିନଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ପୁଲିସ ପହଞ୍ଚିବା ପରେ କମ୍ବଳ ଘୋଡ଼ା ଅବସ୍ଥାରେ ପରିବାରର ସବୁ ସଦସ୍ୟ ପଡ଼ିଥିବା ଦେଖିବାକୁ ପାଇଥିଲେ। କମ୍ବଳ ସବୁରେ ରକ୍ତ ଛିଟା ବି ଲାଗିଥିଲା।
ଘର ବାହାରେ ଏକ ଧାରୁଆ ଅସ୍ତ୍ର ପଡ଼ିଥିବା ପୁଲିସ ଦେଖିଥିଲା। ପାଟଣାଗଡ଼ ପୁଲିସ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲା। ଅତିରିକ୍ତ ଏସ୍ପି ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ପରେ ସାଇଣ୍ଟିଫିକ ଟିମ୍, ଡଗ୍ ସ୍କ୍ୱାଡ୍ ପହଞ୍ଚି ତଦନ୍ତ କରିଥିଲେ। ଏହାପରେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଏସ୍ପି ମଧ୍ୟାହ୍ନରେ ଗଣମାଧ୍ୟମକୁ ଜଣାଇଥିଲେ। ପୁଲିସ ଏକ ଗଇଁତି ଜବତ କରିଛି। ଯେଉଁଥିରେ ସମସ୍ତଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।