ଓଡ଼ିଶାରେ ମ୍ୟୁଚୁଆଲ୍ ଫଣ୍ଡ୍ ସ୍ଥିତି: ମୁଣ୍ଡପିଛା ନିବେଶ ୫,୬୬୦ ଟଙ୍କା, ଶୀର୍ଷରେ ମହାରାଷ୍ଟ୍ର, ଦିଲ୍ଲୀ
1 min readଭୁବନେଶ୍ବର: ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ରେ ନିବେଶ ସାରା ଦେଶରେ ଲୋକପ୍ରିୟ ହେଉଥିବା ବେଳେ ଓଡ଼ିଶା ଏଥିରେ ବହୁ ପଛରେ ରହିଛି। ଓଡ଼ିଶାର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ମାତ୍ର ୫୬୬୦ ଟଙ୍କା ରହିଛି। ଭାରତୀୟ ମ୍ୟଚୁଆଲ୍ ଫଣ୍ଡ୍ ସଂଘ (ଆମ୍ଫି)ର ଅକ୍ଟୋବର ତଥ୍ୟରୁ ଏହା ଜଣାପଡ଼ିଛି। ଅକ୍ଟୋବର ସୁଦ୍ଧା ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ପ୍ରତି ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପର ଅବଦାନ ୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ୪୩ଟି ଶାଖା ରହିଛି।
ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକୁ ଆମ୍ଫି ପାଞ୍ଚଟି ବର୍ଗରେ ଭାଗ ରହିଛି। ୬୧,୪୮୦ ଟଙ୍କାରୁ ୧,୨୦,୮୧୦ ଟଙ୍କା ହେଉଛି ଶ୍ରେଷ୍ଠ ବର୍ଗ ଯେଉଁଥିରେ ମାତ୍ର ତିନିଟି ରାଜ୍ୟ ଦିଲ୍ଲୀ, ଗୋଆ ଓ ମହାରାଷ୍ଟ୍ର ରହିଛନ୍ତି। ମହାରାଷ୍ଟ୍ରର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ୧,୦୧,୫୯୦ ଟଙ୍କା ରହିଛି। ଦିଲ୍ଲୀରେ ସେହି ରାଶି ୧,୨୦,୮୧୦ ଟଙ୍କା ରହିଛି। ଦ୍ବିତୀୟ ବର୍ଗରେ ୪୨,୨୦୦ ଟଙ୍କାରୁ ୬୧,୪୮୦ ଟଙ୍କାର ମୁଣ୍ଡପିଛା ନିବେଶ ଥିବା ରାଜ୍ୟଗୁଡ଼ିକୁ ରଖାଯାଇଛି। ସେଥିରେ କେବଳ ହରିୟାଣା ନାମ ରହିଛି ଯାହାର ମୁଣ୍ଡପିଛା ମ୍ୟଚୁଆଲ୍ ଫଣ୍ଡ୍ ନିବେଶ ହେଉଛି ୪୨,୨୦୦ ଟଙ୍କା। ୧୭,୩୯୦ ଟଙ୍କାରୁ ୪୨,୨୦୦ ଟଙ୍କା ହେଉଛି ତୃତୀୟ ବର୍ଗ। ଏହି ବର୍ଗରେ କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟ ନାମ ରହିଛି। ଚତୁର୍ଥ ବର୍ଗଟି ହେଉଛି ୬୭୭୦ ଟଙ୍କାରୁ ୧୭,୩୯୦ ଟଙ୍କା। ଏହି ବର୍ଗରେ ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ ନାମ ରହିଛି। ପଞ୍ଚମ ତଥା ଶେଷ ବର୍ଗଟି ହେଉଛି ୬୭୭୦ ଟଙ୍କାରୁ କମ୍ ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ଥିବା ରାଜ୍ୟ। ଦେଶର ଅନ୍ୟ ସବୁ ବଳକା ରାଜ୍ୟଗୁଡ଼ିକ ଏହି ବର୍ଗରେ ରହିଛନ୍ତି। ଓଡ଼ିଶାର ନାମ ଏହି ଶେଷ ବର୍ଗରେ ରହିଛି ବୋଲି ଆମ୍ଫି ରିପୋର୍ଟରୁ ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ, ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ ଅଧୀନରେ ୨୮ ଲକ୍ଷ କୋଟିରୁ ଅଧିକ ଟଙ୍କା ରହିଛି। ଦେଶର କ୍ଷୁଦ୍ର ସହରଗୁଡ଼ିକର ଅବଦାନ ଏଥିପ୍ରତି ୧୬ ପ୍ରତିଶତ ରହିଛି। ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ) ପ୍ରତି ଅବଦାନ ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷରେ (୪୩.୮%) ରହିଛି। ଏହା ପଛକୁ ନୂଆଦିଲ୍ଲୀ (୮.୪%), ଗୁଜରାଟ (୬.୯%), କର୍ଣ୍ଣାଟକ (୬.୯%) ଓ ପଶ୍ଚିମବଙ୍ଗ (୫.୨) ରହିଛନ୍ତି। ଦେଶର ୬୮ ପ୍ରତିଶତ ଖୁଚୁରା ନିବେଶକ ଇକ୍ବିଟି ଭିତ୍ତିକ ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ରେ ନିବେଶ କରିଥିବା ବେଳେ ସଂସ୍ଥାଗୁଡ଼ିକର ୭୫ ପ୍ରତିଶତ ସମ୍ପତ୍ତି ଲିକ୍ବିଡ୍, ମନି ମାର୍କେଟ୍ ଓ ଡେବ୍ଟ-ଭିତ୍ତିକ ସ୍କିମ୍ରେ ରହିଛି।