କଟକ ରାଜନୀତି : କୁଆଡ଼େ ଗଲେ ପୁରୁଣା କଂଗ୍ରେସୀ
1 min readକଟକ: କୁଆଡେ ଗଲେ ଧର୍ମାନନ୍ଦ ପାତ୍ର, ଅରୁଣ ସେଠୀ, ସେକ୍ ସମିମଉଲ୍ଲା, ବୈଶାଳୀ ବେହେରା, ତଅପୋଇ ସେଠୀ, ସବିତା ସ୍ବାଇଁ, ସ୍ନେହଲତା ଚୌଧୁରୀଙ୍କ ଭଳି କଂଗ୍ରେସର ପୂର୍ବତନ କର୍ପୋରେଟର? କୁଆଡେ ଗଲେ ବିଜୟ ବାରିକ, ଲିଆକତ ଉଦ୍ଦିନ୍, ବୀରେନ୍ଦ୍ର ଦାସ, ଅକ୍ଷୟ ସାହୁ, ସୂର୍ଯ୍ୟକାନ୍ତ ରାଉତଙ୍କ ଭଳି ବିଭିନ୍ନ ୱାର୍ଡର ସଭାପତି? କୁଆଡେ ଗଲେ ନିକୁଞ୍ଜ ପଶାୟତ, ବିଶ୍ବଜିତ ଦାସ, ଅଶୋକ ସ୍ବାଇଁ, ଅନିଲ ବେଉରା, ନିର୍ମଳ ସ୍ବାଇଁ, ବିଶ୍ବନାଥ ଶତପଥୀ, ବିପନ ପଶାୟତଙ୍କ ଭଳି କଂଗ୍ରେସର ଆଗଧାଡିର ନେତା ଓ କର୍ମୀ? ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ନଗର କଂଗ୍ରେସର ବିକ୍ଷୋଭ, ବିରୋଧ, ପ୍ରତିବାଦ ଜାରି ରହିଥିଲେ ବି ଏଭଳି କିଛି ପୁରୁଣା ମୁହଁ ଆଉ ଦେଖା ନ ଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କଂଗ୍ରେସ ରାଜନୀତିରେ ମୋକିମଙ୍କ ଆବିର୍ଭାବ ପରେ ଧୀରେଧୀରେ ସୁରେଶ ମହାପାତ୍ରଙ୍କ ଭଳି ନେତା ପଛକୁ ଠେଲି ହୋଇଯାଇଥିଲେ।
ତାଙ୍କର ସମର୍ଥକ ଭାବେ ସହର ରାଜନୀତିକୁ ଉଠପଡ କରୁଥିବା ଅନେକ ବି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଗଲେ। ଉଭୟ ଅନେକ ଦିନ ଧରି ସହରରେ ଏକ ପ୍ରକାର ସମାନ୍ତରାଳ କାର୍ଯ୍ୟକ୍ରମ ଜାରି ରଖିଥିଲେ। ସେ ଦୃଷ୍ଟିରୁ ମୋକିମଙ୍କ ନେତୃତ୍ବରେ ହେଉଥିବା କାର୍ଯ୍ୟକ୍ରମରେ ସୁରେଶ ମହାପାତ୍ରଙ୍କ ଉପସ୍ଥିତି ଆଶା କରିବା ବୃଥା। କିନ୍ତୁ ପୂର୍ବତନ କର୍ପୋରେଟର, ୱାର୍ଡ ସଭାପତି, ବ୍ଲକ ସଭାପତି, ଅନେକ ଆଗଧାଡିର ନେତା ଓ କର୍ମୀ ଦେଖା ନ ଯିବା ଘଟଣା କଂଗ୍ରେସ ରାଜନୀତିକୁ ରହସ୍ୟମୟ କରୁଛି।୨୦୧୯ ବିଧାନସଭା ନିର୍ବାଚନରେ କଟକ ଅକ୍ତିଆର କରିଥିଲା କଂଗ୍ରେସ। ଅବିଭକ୍ତ କଟକ ଜିଲ୍ଲାରୁ ମାତ୍ର ଗୋଟିଏ ଆସନ ଭାବେ ଦୀର୍ଘ ବର୍ଷର ବ୍ୟବଧାନରେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ଜିତିବାରେ ସଫଳ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ୍। କିନ୍ତୁ ଏହି ବିଜୟ ପରେ କଟକରେ କଂଗ୍ରେସ ଯେଭଳି ଅଧିକ ସକ୍ରିୟ ହେବା କଥା ଅଥବା ଶକ୍ତି ଦେଖାଇବା କଥା, ତାହା ଦେଖା ଯାଉ ନାହିଁ।