ଭାରତୀୟ ଦଳର ଘର ବାହୁଡ଼ା, ରାହାଣେଙ୍କୁ ଭବ୍ୟ ସ୍ବାଗତ
1 min readନୂଆଦିଲ୍ଲୀ/ମୁମ୍ବାଇ: ଅଷ୍ଟ୍ରେଲିଆରେ ଲଗାତାର ଦ୍ବିତୀୟ ଥର ପାଇଁ ସ୍ମରଣୀୟ ଟେଷ୍ଟ୍ ଶୃଙ୍ଖଳା ବିଜେତା ଭାରତୀୟ ଦଳ ଗୁରୁବାର ସ୍ବଦେଶ ଫେରି ଆସିଛି। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ, ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହିତ ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ଦ୍ରୁତ ବୋଲର ସାର୍ଦୁଳ ଠାକୁର, ପୃଥୃୀ ସ’ ପ୍ରମୁଖ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ବ୍ରିସ୍ବେନ୍ ବିଜୟର ନାୟକ ଋଷବ ପନ୍ତ୍ ଦିଲ୍ଲୀରେ ସକାଳେ ପହଞ୍ଚିଥିଲେ। ନେଟ୍ ବୋଲର୍ ଭାବେ ଦଳ ସହ ଯାଇଥିବା ଟି ନଟରାଜନ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଗୋଟିଏ ଗସ୍ତରେ ସମସ୍ତ ୩ ଫର୍ମାଟ୍ (ଟି-୨୦, ଦିନିକିଆ ଏବଂ ଟେଷ୍ଟ୍)ରେ ପଦାର୍ପଣ କରିଥିଲେ। ନଟରାଜନ ବେଙ୍ଗାଲୁରୁରେ ଅବତରଣ କରିବା ପରେ ତାମିଲନାଡୁର ନିଜ ଗାଁ ସାଲେମ୍ ଅଭିମୁଖେ ଯାଇଥିଲେ। ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍, ଚର୍ଚ୍ଚିତ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଏବଂ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଦୁବାଇରେ ଅଟକି ରହିଥିବା ବେଳେ ଶୁକ୍ରବାର ସକାଳେ ଚେନ୍ନାଇ ପହଞ୍ଚିବେ।
ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ମୁମ୍ବାଇରେ ପହଞ୍ଚିଥିବା ଭାରତୀୟ ଖେଳାଳିଙ୍କୁ ମୁମ୍ବାଇ କ୍ରିକେଟ୍ ସଂଘ ସଭାପତି ବିଜୟ ପାଟିଲ୍, ଆପେକ୍ସ କାଉନସିଲ୍ ସଦସ୍ୟ ଅଜିଙ୍କ୍ୟ ନାଏକ, ଅମିତ ଦାନି ଏବଂ ଉମେଶ ଖାନଭିଲକା ସ୍ବାଗତ କରିଥିଲେ। ଏହି ଅବସରରେ ଭାରତର ବିଜୟ ଉପଲକ୍ଷେ ରାହାଣେ ମଧ୍ୟ ଏକ କେକ୍ କାଟିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଦଳ ମଙ୍ଗଳବାର ବ୍ରିସବେନ୍ ଟେଷ୍ଟ୍କୁ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ଜିତି ଅଷ୍ଟ୍ରେଲିଆ ମାଟିରେ ଲଗାତାର ଦ୍ବିତୀୟ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି।