୨୬ଟି ସଂସ୍ଥାକୁ ରାଜ୍ୟ ରପ୍ତାନି ପୁରସ୍କାର: ମହାମାରୀରେ ବି ଓଡ଼ିଶା ରପ୍ତାନିରେ ୫୫% ବୃଦ୍ଧି
1 min read![](https://www.dailyodiasamachar.com/odia/wp-content/uploads/2021/01/3465f456fs46h5fs4h56fs4hfshsfhfhfhfhfhfhfhfhfhfhfhfhfhfhfhfhfhfhfh.jpg)
ଭୁବନେଶ୍ବର: କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟ ରପ୍ତାନିରେ ୫୫% ବୃଦ୍ଧି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ରପ୍ତାନି ପୁରସ୍କାର ସମାରୋହ-୨୦୨୧କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ବ ସ୍ତରରେ ମାନ୍ଦାବସ୍ଥା ଏବଂ ଆନ୍ତର୍ଜାତିକ ବଜାରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଆମ ରାଜ୍ୟର ରପ୍ତାନିକାରୀମାନଙ୍କ ଦ୍ବାରା ଏହା ହେଉଛି ଉଲ୍ଲେଖନୀୟ ସଫଳତା। ଏହି ଧାରା ଆଗାମୀ ଦିନରେ ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଗଠନ କରାଯାଇଥିବା ଜିଲ୍ଲାସ୍ତରୀୟ ରପ୍ତାନି ପ୍ରସାର କମିଟି ଗଠନ ସ୍ଥାନୀୟ ସାମଗ୍ରୀକୁ ବିଶ୍ବସ୍ତରରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛି। ଖୁବ୍ କମ୍ ଦିନରେ ଆମେରିକା ଓ ୟୁରୋପର ଡିପାର୍ଟମେଣ୍ଟାଲ୍ ଷ୍ଟୋର୍ଗୁଡ଼ିକରେ କଳାହାଣ୍ଡି, କନ୍ଧମାଳ ଓ ମାଲକାନାଗିରିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ତିଆରି କରୁଥିବା ଉତ୍ପାଦ ଭର୍ତ୍ତି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାକୁ ଏକ ରପ୍ତାନି ହବ୍ରେ ପରିଣତ କରିବା ଲାଗି ସେ ରପ୍ତାନିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ଦେଶର ଏକ ପ୍ରମୁଖ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବା ଲାଗି ଓଡ଼ିଶା ପାଖରେ ବହୁତ ଭଲ ସୁଯୋଗ ରହିଛି।
All content will be here
ଆଜି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ରପ୍ତାନି ପୁରସ୍କାର ଦିଆଯାଇଛି। ମୋଟ ୨୬ ରପ୍ତାନିକାରୀଙ୍କୁ ପୁରସ୍କୃତ କରାଯାଇଛି। ବୃହତ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା, ଟିସିଏସ୍-ଭୁବନେଶ୍ବର, ନାଲ୍କୋ, ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍, ଇନ୍ଫୋସିସ୍-ଭୁବନେଶ୍ବର, ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍, ଟିଆର୍ଏଲ୍ କ୍ରୋସାକି ରିଫ୍ରାକ୍ଟରିଜ୍, ଆଇଏଫ୍ଜିଏଲ୍ ରିଫ୍ରାକ୍ଟରିଜ୍, ଫେରୋ ଆଲଏଜ୍ କର୍ପୋରେସନ୍ ଲିମିଟେଡ୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍-ଲପଙ୍ଗା, ଏମ୍ଏମ୍ଟିସି, ଇମାମି ପେପର ମିଲ୍ସ ଓ ବାଲେଶ୍ବର ଆଲଏଜ୍କୁ ପୁରସ୍କୃତ କରାଯାଇଛି। ବେଦାନ୍ତ ଝାରସୁଗୁଡ଼ାକୁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ଦିଆଯାଇଥିବା ବେଳେ କିଛି କଂପାନିକୁ ସାର୍ଟିଫିକେଟ୍ ଅଫ୍ ଏକ୍ସିଲେନ୍ସ ଓ ଅନ୍ୟମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ୍ ଅଫ୍ ମେରିଟ୍ ଦିଆଯାଇଛି।ମଧ୍ୟମ ବର୍ଗରେ ହରି ମେରାଇନ୍, ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର୍ ଓ ଶ୍ରୀରାଗମ ଏକ୍ସପୋର୍ଟସ୍କୁ ପୁରସ୍କୃତ କରାଯାଇଛି। ସେହିପରି, ଲଘୁ ଓ କ୍ଷୁଦ୍ର ବର୍ଗରେ ଟେରା ବ୍ଲକ୍ ମେସିନାରିଜ୍, ଜେ ପି ହାଣ୍ଡଲୁମ୍, ତ୍ରିମୂର୍ତ୍ତି ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଶିବାଲୟ ମଲ୍ଟିଫ୍ଲେକ୍ସ, ମାଗ୍ମା ଫୁଡ୍ସ, ଆର୍ ବି ଅଗ୍ରୱାଲା ଆଣ୍ଡ୍ କଂପାନି, ଓଡ଼ିଶା ସଲ୍ୟୁସନ୍ସ, ଆବିସିସ୍ ଇନଫର୍ମେସନ୍ ଟେକ୍ନୋଲୋଜି, ଜୟ ଭାରତ ସ୍ପାଇସେସ୍ ଓ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍କୁ ପୁରସ୍କୃତ କରାଯାଇଛି। ଆର୍ବି ଅଗ୍ରୱାଲ୍ ଆଣ୍ଡ୍ କଂପାନିକୁ ଦୁଇ ବର୍ଷ ପାଇଁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ମିଳିଛି।