ମଝି ସମୁଦ୍ରରେ ଜାହାଜ ଜଳିଗଲା, ସମ୍ବଲପୁରର ଯୁବକ ନିଖୋଜ
1 min readସମ୍ବଲପୁର, – କ୍ରମିଆ ଉପଦ୍ୱୀପ ଓ ଋଷିଆ ମଧ୍ୟରେ ସଂଯୋଗ କରୁଥିବା କର୍ଚ ଷ୍ଟେଟ ନିକଟରେ ସୋମବାର ୨ ଜାହାଜ ମଧ୍ୟରେ ଦୁର୍ଘଟଣା ଘଟି ଜଳି ଯାଇଛି। ଇନ୍ଧନ ଅଦଳ ବଦଳ କରୁଥିବା ବେଳେ ତାଞ୍ଜାନିଆ କାଣ୍ଡି ଓ ମାଇର୍ଷ୍ଟ୍ରୋ ଜହାଜ ଜଳି ଯାଇଛି। ଏଥିରେ ୧୪ ଜଣ ଦଗ୍ଧ ହୋଇଥିବା ବେଳେ ୧୨ ଜଣଙ୍କର ପତ୍ତା ମିଳୁ ନାହିଁ । ଏମାନଙ୍କ ଭିତରେ ୧୫ ଜଣ ଭାରତୀୟ ରହିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜାହାଜରେ ଦୁଇ ଜଣ ଓଡିଆ କାମ କରୁଥିଲେ । ସେମାନେ ହେଲେ ସିଦ୍ଧାର୍ଥ ମେହେର (୨୫) ଓ ଦେବରାଜ ପାଣିଗ୍ରାହୀ (ରାଜା) । ଦେବରାଜଙ୍କ ସମ୍ପୂର୍ଣ୍ଣ ଠିକଣା ତଥା ପରିଚୟ ମିଳିନି। ସିଦ୍ଧାର୍ଥଙ୍କ ଘର ବରଗଡ ଜିଲା କାଦୋବାହାଲରେ। ନାରାୟଣ ମେହେର ଓ ଗୀତାଞ୍ଜଳି ମେହେରଙ୍କ ଏକ ମାତ୍ର ପୁଅ ସିଦ୍ଧାର୍ଥ । ନାରାୟଣ ପିପିଏଲ ଆଞ୍ଚଳିକ ପ୍ରବନ୍ଧକ ଭାବେ କାମ କରୁଥିବାରୁ ସମ୍ବଲପୁର ସହରରେ ଏକ ଫ୍ଲାଟ ନେଇ ରହୁଛନ୍ତି । ୩ ଦିନ ହେଲା ପୁଅର ଖବର ପାଇ ନାହାନ୍ତି । ଏଣୁ ଆଶା ଆଶଙ୍କାରେ ପୁରା ପରିବାର ରହିଛନ୍ତି । ସିଦ୍ଧାର୍ଥଙ୍କ ବାପା ନାରାୟଣ କହିଛନ୍ତି ଯେ, ପୁଅ ଯେଉଁ କମ୍ପାନୀରେ କାମ କରନ୍ତି ସେ କମ୍ପାନୀ ସହିତ ଯୋଗାଯୋଗରେ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା ସେମାନେ କହୁଛନ୍ତି । ଅନ୍ୟପକ୍ଷେ ପରିବାର ପୁଅକୁ ନେଇ ଭାଙ୍ଗି ପଡିଛନ୍ତି । ସମ୍ପର୍କୀୟ ଓ ପରିଜନ ଘରକୁ ଆସି ପରିବାର ବର୍ଗଙ୍କୁ ଅଶ୍ୱାସନା ଦେଉଛନ୍ତି । ସୂଚନା ଯୋଗ୍ୟ ଯେ ଚେନାଇରେ ପାଠ ପଢା ସାରି ସିଦ୍ଧାର୍ଥ ଏପ୍ରିଲ ମାସରେ ଉକ୍ତ କମ୍ପାନୀରେ ଯୋଗ ଦେଇଥିଲେ । ୧ ବର୍ଷ କାମ କରିବାକୁ ଚୁକ୍ତି କରିଥିଲେ । ୧୦ ମାସ କାମ କରିଥିଲେ । ଏପ୍ରିଲ ମାସରୁ ସେ ଆଉ ଘରକୁ ଫେରି ନାହାନ୍ତି ।