Fri. Nov 22nd, 2024

ଡିସେମ୍ବର ସୁଦ୍ଧା ରାଜ୍ୟର ୬ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ

1 min read
Spread the love

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬ଟି ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରି ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଆଜି ପତ୍ର ସୂଚନା କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶାର ଏହି ପ୍ରକଳ୍ପଗୁଡ଼ିକ ହେଉଛି ଖୋର୍ଦ୍ଧା ରୋଡ୍‌-ବାରଙ୍ଗ (୩୨ କିମି), ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନ୍ (୩୦ କିମି), ସମ୍ବଲପୁର-ତାଳଚେର ଦୋହରୀକରଣ (୧୬୮ କିମି), ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ (୧୦୬ କିମି), ରାୟପୁର-ଟିଟିଲାଗଡ଼ (୨୦୩ କିମି) ଓ ବାଂଶପାଣି-ଦୈତାରି-ଟମ୍‌କା-ଯଖପୁରା ଦୋହରୀକରଣ (୧୬୪ କିମି)। ଚଳିତ ଆର୍ଥିକ ବର୍ଷ ଏବଂ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା କାମ ଶେଷ କରିବା ଲାଗି ଦେଶରେ ମୋଟ ୫୬ଟି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି।

ସେଥିରେ ଓଡ଼ିଶାର ୬ଟି ପ୍ରକଳ୍ପ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରେଳବାଇ ପାଇଁ ବଜେଟ୍‌ରେ ୨,୧୫,୦୫୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥି ମଧ୍ୟରୁ ୧,୦୭,୧୦୦ କୋଟି ଟଙ୍କା ବଜେଟ୍‌ ଆବଣ୍ଟନ ଭାବେ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବିଷୟରେ ବଜେଟ୍‌ରେ ଘୋଷଣା କରିଛନ୍ତି। ନୂତନ ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆ ରେଳପଥ ପାଇଁ ୪୦,୯୩୨ କୋଟି ଟଙ୍କା, ଦୋହରୀକରଣ ପାଇଁ ୨୬,୧୧୬ କୋଟି ଟଙ୍କା, ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୫୨୬୩ କୋଟି ଟଙ୍କା ଏବଂ ରେଳ ଓଭରବ୍ରିଜ୍/ରେଳ ଅଣ୍ଡରବ୍ରିଜ୍ ପାଇଁ ୭୧୨୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୧୫୬% ଓ ନୂଆ ରେଳପଥ ପାଇଁ ୫୨% ଅଧିକ ବ୍ୟୟବରାଦ କରାଯାଇଛି। ଏବେ ଦେଶରେ ୧୪,୦୦୦ ରେଳ ଓଭରବ୍ରିଜ୍ ଓ ଅଣ୍ଡରବ୍ରିଜ୍ ରହିଛି। ନୂଆ ବ୍ରିଜ୍ ନିର୍ମାଣ କରିବା ଉପରେ ରେଳବାଇ ଅଧିକ ଗୁରୁତ୍ବ ଦେଉଛି। ଏହା ବ୍ୟତୀତ ବଜେଟ୍‌ରେ ଟର୍ମିନାଲ୍ ବ୍ୟବସ୍ଥାରେ ଉନ୍ନତି, ଟ୍ରେନ୍‌ର ଗତି ବଢ଼ାଇବା, ସିଗ୍‌ନାଲିଂ ବ୍ୟବସ୍ଥାରେ ଉନ୍ନତି, ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗରେ ଉନ୍ନତି ଏବଂ ଓଭରବ୍ରିଜ୍ ଓ ଅଣ୍ଡର୍‌ ବ୍ରିଜ୍‌ଗୁଡ଼ିକର ସୁରକ୍ଷା କାର୍ଯ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

Copyright © All rights reserved.