ନିତି ଆୟୋଗ ବୈଠକରେ ମୋଦୀଙ୍କ ସୂଚନା, ଘରୋଇ କ୍ଷେତ୍ରକୁ ସହଯୋଗ କରିବେ ସରକାର
1 min readନୂଆଦିଲ୍ଲୀ: କରୋନା ମହାମାରୀ ଅର୍ଥନୀତିକୁ ଦୋହଲାଇ ଦେଇଛି। କରୋନା ପାଇଁ ଅର୍ଥନୀତିରେ ଯେଉଁ ଅବଗତି ଦେଖାଦେଇଛି ସେଥିରେ ସୁଧାର ଆଣିବାକୁ ହେଲେ ଦେଶରେ ଏକ ବଳିଷ୍ଠ ଢାଞ୍ଚାର ଆବଶ୍ୟକତା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ସଂପର୍କକୁ ଆହୁରି ସୁଦୃଢ଼ କରିବାକୁ ହେବ। ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଆହ୍ବାନ ଦେଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଘରୋଇ କ୍ଷେତ୍ରଗୁଡ଼ିକୁ ବଢ଼ିବାକୁ ଅନୁମତି ଦିଆଯିବା ଉଚିତ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତ୍ମ ନିର୍ଭର ଭାରତ ମିସନରେ ଭାଗ ନେବା ପାଇଁ ଘରୋଇ କ୍ଷେତ୍ରକୁ ସୁଯୋଗ ଦିଆଯିବା ଉଚିତ। କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାମ କରିବା ସମସ୍ତେ ଦେଖିଛନ୍ତି। କରୋନା ଲଢ଼େଇରେ ଦେଶ ଅଗ୍ରଗତି ହାସଲ କରିଲା ଏବଂ ସମଗ୍ର ବିଶ୍ବ ସମ୍ମୁଖରେ ଭାରତର ଏକ ଭଲ ଭାବମୂର୍ତ୍ତି ପ୍ରତିଷ୍ଠା ହୋଇପାରିଛି। ଭାରତର ବିକାଶର ମୂଳଦୁଆ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ମିଳିମିଶି କାର୍ଯ୍ୟ କରିବା ଯୋଗୁ ସମ୍ଭବ ହୋଇପାରିଛି।
ତେଣୁ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ଆହୁରି ଅର୍ଥପୂର୍ଣ୍ଣ କରିବା ଲାଗି ମୋଦୀ ଆଜିର ବୈଠକରେ ଆହ୍ବାନ ଦେଇଛନ୍ତି। କେବଳ ଏତିକି ହେଲେ ହେବ ନାହିଁ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି କରିବା ସହିତ ଜିଲ୍ଲା ଜିଲ୍ଲା ଗୁଡ଼ିକ ମଧ୍ୟରେ ଏହାକୁ ପ୍ରୋତ୍ସାହିତ କରିବାକୁ ହେବ। ଲୋଜଙ୍କ ଜୀବନ ଧାରଣକୁ ସହଜ କରିବାକୁ ମଧ୍ୟ ମୋଦୀ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ଗତ କିଛିବର୍ଷ ମଧ୍ୟରେ ଦେଶରେ ଲୋକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଛି, ଟିକାକରଣ ସହିତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି। ମାଗଣା ବିଜୁଳି ଓ ଗ୍ୟାସ ସଂଯୋଗ ପ୍ରଦାନ କରାଯାଉଛି। ଏସବୁ ଲୋକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ଜୀବନରେ ମାନରେ ଉନ୍ନତି ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମାନେ ଯୋଗ ଦେଇଥିଲେ ମଧ୍ୟ ପଶ୍ଚିମବଙ୍ଗ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନଥିବା ଜଣାଯାଇଛି।