Fri. Nov 22nd, 2024

୧୧ ବର୍ଷ ହେଲା ରହସ୍ୟଘେରରେ ଗଣ୍ଡରପୁର ଡବଲ୍ ମର୍ଡର୍‌

1 min read
Spread the love

ଭୁବନେଶ୍ବର : ଫେବ୍ରୁଆରି ୫ ତାରିଖରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଅଚିହ୍ନା, ଅଜଣା ଥିବା ଏହି ରହସ୍ୟମୟ ହତ୍ୟା ମାମଲାକୁ କମିସନରେଟ୍‌ ପୁଲିସ ୮ଦିନ ଭିତରେ ପର୍ଦ୍ଦାଫାସ୍ କରିଥିଲା। ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା। ଏଥିପାଇଁ କମିସନରେଟ୍ ପୁଲିସକୁ ଚାରିଆଡୁ ବେଶ୍ ସାବାସି ମିଳିଛି। କିନ୍ତୁ କମିସନରେଟ୍‌ ପୁଲିସ ତିଆରି ହେଲା ପରଠାରୁ ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡ ଉପରୁ ପରଦା ଉଠି ପାରିନାହିଁ। ଅନେକ ମାମଲାରେ ଫେଲ୍ ମାରିଛି କମିସନରେଟ୍‌ ପୁଲିସ। ତଦନ୍ତ ଫାଇଲରେ ଡୋରି ବନ୍ଧା ହୋଇଯାଇଛି। ଏମିତି କିଛି ମାମଲାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରୟାସ ‘ଅସମାହିତ ଅପରାଧ’। ଏଥର ୧୧ବର୍ଷ ତଳେ ଗଣ୍ଡରପୁର ଡବଲ ମର୍ଡର୍‌ ଘଟଣାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…୨୦୦୯ ମାର୍ଚ୍ଚ ୨୭ ତାରିଖ। ରାଜଧାନୀ ଉପକଣ୍ଠ ଗଣ୍ଡରପୁରସ୍ଥିତ କୁଆଖାଇ ନଦୀପଠାରେ କିଛି ପିଲା ଖେଳୁଥିବା ବେଳେ ସେଠାରେ ଥିବା ଅର୍ଦ୍ଧନିର୍ମିତ ମନ୍ଦିର ପରିସରରେ ଦୁଇଜଣଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ବର ପୁଲିସ। ସେହିଦିନ ଗୋଟିଏ ଶବକୁ ଚିହ୍ନଟ କରାଯାଇଥିଲା। ମୃତକ ଥିଲେ ଗଣ୍ଡରପୁର ମଝିସାହିର ସୁରେନ୍ଦ୍ର ପଢ଼ିହାରୀ। ଅନ୍ୟ ଜଣେ ମୃତକଙ୍କ ପରିଚୟ ଗୋଟିଏ ଦିନ ପରେ ମିଳିଥିଲା। ସେ ଥିଲେ ବଡ଼ମ୍ବା ଗୋପୀନାଥପୁର ଅଞ୍ଚଳର ବାସୁଦେବ ବାରିକ। ମୃତଦେହ ପଚି ଦୁର୍ଗନ୍ଧ ବାହାରୁ ଥିବାରୁ ଦୁଇ ତିନି ଦିନ ତଳର ଘଟଣା ବୋଲି ଅନୁମାନ କରାଯାଉଥିଲା। ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହାଣି ଉଭୟଙ୍କୁ ହତ୍ୟା କରା ଯାଇଥିଲା।

ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ଠିକାଦାରୀ ନା ଅନ୍ୟ କିଛି କାରଣ ରହିଥିଲା, ତାହା ଉପରୁ ପୁଲିସ ପରଦା ହଟାଇ ପାରି ନଥିଲେ ମଧ୍ୟ ଠିକାଦାରୀ ବିବାଦ ମୁଖ୍ୟ କାରଣ ବୋଲି ପରିବାରଲୋକ ସେତେବେଳେ ଅଭିଯୋଗ କରିଥିଲେ। ଜଣେ ଶ୍ରମିକ ଠିକାଦାରଙ୍କ ସହ ଜଣେ ରାଜନେତାଙ୍କର ଲିଙ୍କ୍ ରହିଥିବା ଅଭିଯୋଗ ହୋଇଥିଲା। ସମ୍ଭବତଃ ଏହି କାରଣରୁ ତଦନ୍ତ ଆଉ ଆଗକୁ ଯାଇ ପାରି ନଥିଲା। ଯଦି କମିସନରେଟ ପୁଲିସ ଫେଲ୍ ମାରିଲା, ତାହାଲେ କ୍ରାଇମବ୍ରାଞ୍ଚ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଗଲା ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ମଧ୍ୟ ଉଠିଥିଲା। ପୁଲିସ କାହିଁକି ନିଜ ପାଖରେ ତଦନ୍ତ ଫାଇଲକୁ ରଖି ସମୟ ଗଡ଼ାଇ ଗଡ଼ାଇ ବନ୍ଦ କରି ଦେଇଥିଲା? ୧୧ବର୍ଷ ତଳେ ରାଜଧାନୀରେ ଘଟିଥିବା ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ହତ୍ୟାକାରୀ ଧରା ନପଡ଼ିବା କମିସନରେଟ୍ ପୁଲିସର ଦକ୍ଷତା ଉପରେ ଏକ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

Copyright © All rights reserved.