ଦୁଇ ରାଜ୍ୟକୁ ଏମ୍ଏସ୍ପିର ସର୍ବାଧିକ ଲାଭ
1 min readନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନି କୃଷି ଆଇନ ଆଣିବା ପରେ ତାହାକୁ ବିରୋଧ କରି ଦୀର୍ଘ ଦିନ ହେଲାଣି ଦୁଇଟି ରାଜ୍ୟ ପଞ୍ଜାବ ଓ ହରିୟାନାର ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ସେମାନେ ଯେଉଁ ପ୍ରସଙ୍ଗଟିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ତାହା ହେଉଛି କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି। ଏହି ଦୁଇ ରାଜ୍ୟର ଚାଷୀମାନେ ନିଜ ଗହମର ଅଧାରୁ ଅଧିକ ଓ ଧାନର ଦୁଇ ତୃତୀୟାଂଶ ସରକାରଙ୍କୁ ଏମ୍ଏସ୍ପି ଦରରେ ବିକ୍ରି କରୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ଏହି ହାର କମ୍ ରହିଛି। ତେଣୁ ଏମ୍ଏସ୍ପିକୁ ନେଇ ସେମାନେ ସେତେଟା ଗୁରୁତ୍ବ ଦେଉନାହାନ୍ତି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ପଞ୍ଜାବର ହାରାହାରି ଗହମ ଉତ୍ପାଦନ ୧୬୯ ଲକ୍ଷ ଟନ୍ ଓ ହରିୟାନାର ୧୧୪ ଲକ୍ଷ ଟନ୍ ଥିଲା। ସେଥି ମଧ୍ୟରୁ ୬୬.୫% ଗହମକୁ ସରକାର ସଂଗ୍ରହ କରିଥିଲେ। ସେହି ସମୟରେ ମଧ୍ୟପ୍ରଦେଶ ୩୭%, ରାଜସ୍ଥାନ ୧୪% ଓ ଉତ୍ତରପ୍ରଦେଶ ୧୦% ଗହମକୁ ଏମ୍ଏସ୍ପି ଦରରେ ବିକ୍ରି କରିଥିଲେ। ଗୁଜରାଟ, ବିହାର ଓ ମହାରାଷ୍ଟ୍ରରେ ଏହି ସମୟ ଭିତରେ ହାରାହାରି ୧୫ ଲକ୍ଷ ଟନ୍ ଗହମ ଉତ୍ପାଦନ ହୋଇଥିଲା। ମାତ୍ର ଏହି ରାଜ୍ୟଗୁଡ଼ିକ ସେଥିରୁ ୧%ରୁ କମ୍ ଗହମକୁ ଏମ୍ଏସ୍ପି ଦରରେ ସରକାରଙ୍କୁ ବିକ୍ରି କରିଥିଲେ। ଆଲୋଚ୍ୟ ସମୟରେ ଦେଶରେ ମୋଟ ୩୦୦ ଲକ୍ଷ ଟନ୍ ଗହଣା ଉତ୍ପାଦନ ହୋଇଥିବା ବେଳେ ତାହାର ୩୦.୬%କୁ ସରକାର ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ୬୪%ରୁ ଅଧିକ ଗହମ ପଞ୍ଜାବ ଓ ହରିୟାଣାରୁ ଆସିଥିଲା।
ଚାଉଳ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ ପଞ୍ଜାବରେ ହାରାହାରି ୧୨୧ ଲକ୍ଷ ଟନ୍ ଧାନ ଉତ୍ପାଦନ ହୋଇଥିବା ବେଳେ ସେଥିରୁ ୮୬% ଧାନକୁ ସରକାର ସଂଗ୍ରହ କରିଛନ୍ତି। ଏହି ସମୟରେ ହରିୟାଣାରେ ୪୪ ଲକ୍ଷ ଟନ୍ ଧାନ ଉତ୍ପାଦନ ହୋଇଥିବା ବେଳେ ସେଥିରୁ ୭୮% ଧାନ ସଂଗ୍ରହ କରାଯାଇଥିଲା। ଦେଶରେ ଆହୁରି ୧୫ଟି ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ରହିଛି ଯେଉଁମାନଙ୍କ ବାର୍ଷିକ ହାରାହାରି ଉତ୍ପାଦନ ୩୦ ଲକ୍ଷ ଟନ୍ରୁ ଅଧିକ ଥିଲା। ଏହି ସମୟରେ ସଂଗ୍ରହ ହାର ତେଲେଙ୍ଗାନା ପାଇଁ ୭୩%, ଛତିଶଗଡ଼ର ୬୧%, ଆନ୍ଧ୍ରପ୍ରଦେଶର ୫୫% ଓ ଓଡ଼ିଶାର ୫୧% ରହିଛି। ଦେଶର ପ୍ରମୁଖ ୧୫ ଧାନ ଉତ୍ପାଦନକାରୀ ରାଜ୍ୟ ମଧ୍ୟରୁ ଛଅଟି ରାଜ୍ୟ ନିଜ ଉତ୍ପାଦିତ ଧାନର ଅଧାରୁ ଅଧିକ ଏମ୍ଏସ୍ପିରେ ବିକ୍ରି କରିଛନ୍ତି। ଏମ୍ଏସ୍ପି ମୂଲ୍ୟରେ ସଂଗ୍ରହ ହାର ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ୨୦-୩୦%, ତାମିଲନାଡୁ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ୧୦-୨୦% ଏବଂ ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଆସାମରେ ୧୦%ରୁ କମ୍ ରହିଛି।