Thu. Feb 6th, 2025

ମୋୖନୀ ଅମାବାସ୍ୟା

1 min read
Spread the love

ମୋୖନୀ ବା ତ୍ରିବେଣୀ ଅମାବାସ୍ୟା ଭାବେ ପ୍ରସିଦ୍ଧ ଆଜି, ମାଘ ଅମାବାସ୍ୟା। ଶାସ୍ତ୍ର ମାନଙ୍କ ବର୍ଣ୍ଣନା ଅନୁସାରେ, ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟି ସର୍ଜନା କରିବା ପରେ ଆଜିର ଦିନରେ ପ୍ରଥମ ମାନବ ମନୁ ଏବଂ ଶତରୁପାଙ୍କୁ ସୃଷ୍ଟି କରିଥିଲେ। ମନୁଙ୍କ ଆବିର୍ଭାବ ଦିବସ ହୋଇ ଥିବାରୁ ଏହା ମୋୖନୀ ଅମାବାସ୍ୟା ନାମରେ ଖ୍ୟାତ ହୋଇଛି। ଅନ୍ୟ ଗୋଟିଏ କଥା ଅନୁସାରେ,ଏହି ମାଘ ଅମାବାସ୍ୟାରେ ମୌନବ୍ରତ ପାଳନ କରାଯାଉଥିବାରୁ, ଏହାର ନାମ ହୋଇଛି ମୋୖନି ଅମାବାସ୍ୟା। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ, ମା’ ବିରଜାଙ୍କର ଏହା ସ୍ଵ ନକ୍ଷତ୍ର ଦିବସ। ଏହି ଦିନ ପୁଣ୍ୟତୋୟା ନଦୀ ମାନଙ୍କରେ ସ୍ନାନ, ବିଶେଷ କରି ତ୍ରିବେଣୀ ସଙ୍ଗମ ସ୍ନାନ ଅଶେଷ ଫଳ ଦାୟୀ। କୁହା ଯାଏ, ଏହି ପୁଣ୍ୟ ସ୍ନାନ,ସହସ୍ର ଅଶ୍ୱମେଧ ଯଜ୍ଞର ପୁଣ୍ୟ ସହ ସମତୁଲ୍ୟ। ତ୍ରିବେଣୀ ସ୍ନାନ ଯୋଗ ଦୃଷ୍ଟିରୁ ଏହାର ଅନ୍ୟ ନାମ ତ୍ରିବେଣୀ ଅମାବାସ୍ୟା।

ଏହିଦିନ ଭାରତବର୍ଷର ପବିତ୍ର ନଦୀ ଯଥା ଗଙ୍ଗା, ଯମୁନା,ନର୍ମଦା,ସରଜୁ,ସିନ୍ଧୁ,ଗୋଦାବରୀ, କୃଷ୍ଣା କାବେରୀ ଆଦିରେ ପବିତ୍ର ସ୍ନାନ ପକାଇ ଶ୍ରଦ୍ଧାଳୁ ମାନେ ଅର୍ଘ୍ୟମନ୍ତ୍ର ଉଚ୍ଚାରଣ କରିଥାନ୍ତି :-
ଗଙ୍ଗେ ଚ ଯମୁନେଚୈବ
ଗୋଦାବରୀ ସରସ୍ୱତୀ।
ନର୍ମଦେ ସିନ୍ଧୁକାବେରୀ
ଜଳେସ୍ମିନ୍‌ ସନ୍ନିଧିଂ କୁରୁ।।

କିମ୍ବଦନ୍ତୀରୁ ଜଣାଯାଏ ସମ୍ବତ 1607, ବୁଧବାର, ମୋୖନି ଅମାବାସ୍ୟା ଦିନ ପ୍ରଭୁ ଶ୍ରୀରାମ ଗୋସ୍ୱାମୀ ତୁଳସୀଦାସଙ୍କ ସମ୍ମୁଖରେ ଚିତ୍ରକୂଟର ମନ୍ଦାକିନୀ ଘାଟରେ ଆବିର୍ଭୁତ ହୋଇ ଥିଲେ। ବାଳକ ରୂପେ ପ୍ରଭୁ ଆସି କହୁଥାନ୍ତି, ବାବା ! ଆମକୁ ଚନ୍ଦନ ଦିଅ ଚନ୍ଦନ ଦିଅ। ହନୁମାନ ପଛରେ ରହି ଏହା ଦେଖୁ ଥାନ୍ତି। ଏଥର କାଳେ ତୁଳସୀ ଦାସ ପ୍ରଭୁଙ୍କୁ ଚିହ୍ନି ପାରିବେନାହିଁ ଭାବି,ସେ ଗୋଟିଏ ଶୁଆରୂପ ଧରି ବୋଲି ଦେଲେ :-
ଚିତ୍ରକୂଟ କେ ଘାଟ ପର
ଭଇ ସନ୍ତନ କି ଭୀର।
ତୁଳସୀ ଦାସ ଚନ୍ଦନ ଘିସେ
ତିଲକ ଦେତ ରଘୁବୀର।।

ପ୍ରଭୁ ତୁଳସୀଦାସଙ୍କ ଠାରୁ ଚନ୍ଦନଟୀକା ନେଲେ । ତାଙ୍କ ଲଲାଟରେ ଚନ୍ଦନ ବୋଳି ଦେଇ ଅନ୍ତର୍ଧ୍ୟାନ ହୋଇ ଗଲେ। ପ୍ରଭୁଙ୍କ ସେ ଧନୁର୍ବାଣଧାରୀ ନୀଳ ନବ ଘନ ଅଦ୍ଭୁତ ଛବି ଦେଖି ତୁଳସୀ ଦାସ ଆତ୍ମ ହରା ହୋଇ ଯାଇଥିଲେ।

ପୁଣ୍ୟ ମାଘ ମାସର ପବିତ୍ର ତ୍ରିବେଣୀ ଅମାବାସ୍ୟା ଦିନ ଶାସ୍ତ୍ରୋକ୍ତ ସ୍ନାନସାରି ମୌନ ବ୍ରତ ଅବଲମ୍ବନ ପୂର୍ବକ ଭଗବାନ ବିଷ୍ଣୁଙ୍କୁ ଧ୍ୟାନକରି ଅନ୍ନ ବସ୍ତ୍ର ଧନ ଦାନ କରିବାର ଵିଧି ରହିଛି। ଏହିଦିନ ଗୋ ଦାନ ଓ ଭୂମି ଦାନର ବିଶେଷ ମହତ୍ୱ ରହିଛି। ପ୍ରୟାଗ ଉଜ୍ଜୟିନୀ ଏବଂ ନାସିକ ଠାରେ ଆୟୋଜିତ କୁମ୍ଭ ମେଳାରେ ଏହିଦିନ ଏକ ବିଶେଷସ୍ନାନ,ସାହିସ୍ନାନ ଅନୁଷ୍ଠିତ ହୋଇ ଥାଏ।

ମୋୖନି ଅମାବାସ୍ୟା ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀ ରହିଛି। ଆଗେ ବହୁ ଦିନ ପୂର୍ବେ କାଞ୍ଚି ପୁରୀରେ ଦେବସ୍ୱାମୀ ବୋଲି ଜଣେ ବ୍ରାହ୍ମଣ ବାସ କରୁଥିଲେ। ପତ୍ନୀଙ୍କ ନାମ ତାଙ୍କର ଧନବତୀ। ତାଙ୍କର ପୁଅ ମାନେ ସମସ୍ତେ ବିବାହ କରି ସାରି ଥିଲେ। ତାଙ୍କର ଗୋଟିଏ ମାତ୍ର ଝିଅ। ନାମ ଗୁଣବତୀ। ଝିଅଟି ବିବାହ ଯୋଗ୍ୟା ଥାଇ ସୁଦ୍ଧା,ଅବିବାହିତ ଥାଏ। ପିତାମାତା ଖୁବ ଚିନ୍ତିତ ଥାନ୍ତି ଓ ଝିଅ ବିଭା ପାଇଁ ଉପଯୁକ୍ତ ପାତ୍ର ଖୋଜୁ ଥାନ୍ତି। ଝିଅର ଜାତକ, ଜନ୍ମ କୁଣ୍ଡଳୀ ଆଦି ଦେଇ, ସେମାନେ ଦିନେ ତାଙ୍କ ବଡ଼ପୁଅକୁ ଏକ ଯାଗାକୁ ପଠାଇଲେ। ଜଣେ ଜ୍ୟୋତିଷଙ୍କୁ ଭଉଣୀ ଜାତକ ଦେଖାଇବାରୁ ସେ ଜାଣି ପାରିଲା ଯେ ଭଉଣୀର ବୈଧବ୍ୟ ଯୋଗ ଅଛି। ଗୁଣବତୀର ବାପା ଏହା ଜାଣିବାକୁ ପାଇଲେ ଓ ଜଣେ ଜ୍ୟୋତିଷଙ୍କୁ ଯାଇ ଏ ଦୋଷର ପ୍ରତିକାର ଉପାୟ କଥା ପଚାରିଲେ। ଜ୍ୟୋତିଷ କହିଲେ, ତୁମକୁ ଗୋଟିଏ ସ୍ୱତନ୍ତ୍ର ପୂଜା କରିବାକୁ ପଡ଼ିବ। ତୁମେ ସିଂହଳ ଦ୍ଵୀପର ସୋମା ନାମ୍ନୀ ଧୋବଣୀ ପାଖକୁ ଯାଅ। ସେ ଏହି ପୂଜାର ଵିଧି ତୁମକୁ ବତାଇ ଦେବ। ବ୍ରାହ୍ମଣ ଦେବସ୍ୱାମୀ, ସୋମା ଧୋବଣୀଙ୍କ ଘରକୁ ଚାଲିଲେ। ବାଟରେ ପଡ଼ିବ ସମୁଦ୍ର। ସେ ଚାଲି ଚାଲି ଥକ୍କା ମାରି ଏକ ବରଗଛ ଛାଇରେ ବିଶ୍ରାମ କଲେ। ସେ ଗଛରେ ଏକ ଶାଗୁଣା ରହୁଥାଏ। ଚିନ୍ତିତ ବ୍ରାହ୍ମଣଙ୍କୁ ଦେଖି ଶାଗୁଣା ପଚାରିଲା, ତୁମର ସମସ୍ୟା କଅଣ କୁହ, ମୁଁ ତୁମକୁ ସାହାଯ୍ୟ କରିବି। ବ୍ରାହ୍ମଣ ଦେବସ୍ୱାମୀ ଶାଗୁଣାଟିକୁ ସମସ୍ତ ଘଟଣା କହିଲାରୁ ସେ ତାଙ୍କୁ ସମୁଦ୍ର ପାର କରାଇ ନେଇଗଲା ଏବଂ ସୋମାଙ୍କୁ ଆଣି ତାଙ୍କ ଘରେ ପହଞ୍ଚାଇ ଦେଲା।

ସୋମା ଧୋବଣୀ ଵିଧି ମୁତାବକ ପୂଜା ସାରିଲେ। ବ୍ରାହ୍ମଣ ଝିଅ ଗୁଣବତୀ ରିଷ୍ଟ ଦୂର ହୋଇ ଯାଇଛି ଭାବି ତା’ର ବିବାହ କରାଇ ଦେଲେ। ଦୁର୍ଭାଗ୍ୟକୁ କିନ୍ତୁ ସେ ଜ୍ୱାଇଁଟି ମରିଗଲା। ଏହା ଦେଖି ସୋମା ତାଙ୍କର ସମସ୍ତ ପୁଣ୍ୟକୁ ଗୁଣବତୀକୁ ଦାନ ଦେଇ ଦେଲେ। ଫଳରେ ଜ୍ଵାଇଁଟି ବଞ୍ଚି ଉଠିଲା।

ସୋମା ସିଂହଳ ଦ୍ୱୀପକୁ ଫେରି ଯାଇ ଦେଖିଲେ, ତାଙ୍କ ସ୍ୱାମୀ, ପୁତ୍ର, ଜ୍ୱାଇଁ ସମସ୍ତେ ଆର ପାରିକୁ ଚାଲି ଯାଇଛନ୍ତି। ସେ ବୁଝି ପାରିଲେ ଯେ ତାଙ୍କର ସମସ୍ତ ପୁଣ୍ୟ, ସେ ଗୁଣବତୀଙ୍କୁ ଦାନ କରି ଦେଇ ଥିବାରୁ ଏପରି ହୋଇଛି। ସୋମା ଖୁବ ଅନୁତପ୍ତ ହୋଇ, ଗୋଟିଏ ଅଶ୍ୱତ୍ଥ ବୃକ୍ଷ ମୁଳରେ ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ବସିଲେ। ମୌନ ଉପବାସ ରହି ସେ ଅଶ୍ୱତ୍ଥ ବୃକ୍ଷକୁ ଏକଶହ ଆଠ ଥର ପରିକ୍ରମା କରିବାରୁ ତାଙ୍କର ସ୍ୱାମୀ, ପୁତ୍ର ଓ ଜ୍ୱାଇଁ ସମସ୍ତେ ଜୀବିତ ହୋଇ ଉଠିଲେ। ସେହିଦିନ ଥିଲା ମାଘ ଅମାବାସ୍ୟା। ସୋମା ମୌନ ବ୍ରତ କରି ଭଗବାନ ବିଷ୍ଣୁଙ୍କ କୃପାରୁ ନିଜ ମୃତ ସ୍ୱାମୀ, ପୁତ୍ର ଓ ଜ୍ୱାଇଁଙ୍କୁ ଫେରି ପାଇଥିବାରୁ ସେବେ ଠୁଁ ଏହି ଅମାବାସ୍ୟା ମୋୖନୀ ଅମାବାସ୍ୟା ବୋଲି ଖ୍ୟାତ ହୋଇଛି।

!!! ଓଁ ନମଃ ନାରାୟଣାୟଃ !!!

Copyright © All rights reserved.