ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣା: ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କ ବିରୋଧରେ ଦାଖଲ ହେଲା ଫାଇନାଲ୍ ଚାର୍ଜଶିଟ୍
1 min read
ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବିରୋଧରେ ଗୁରୁବାର ଶେଷ ଚାର୍ଜଶିଟ୍ ଦାଖଲ ହୋଇଛି। କ୍ରାଇମ୍ବ୍ରାଞ୍ଚ ଦୀର୍ଘ ୧୧ ମାସ ଧରି ପ୍ରସ୍ତୁତ କରିଥିବା ୬୫ ପୃଷ୍ଠାର ଚାର୍ଜଶିଟ ଏସ୍ଡିଜେଏମ୍ କୋର୍ଟରେ ଦାଖଲ କରିଛି। ଏଥିରେ ସାକ୍ଷୀମାନଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଆଦି ଉପରେ ତଥ୍ୟ ରହିଛି। ପୂର୍ବରୁ ଗତ ଅଗଷ୍ଟ ମାସରେ କ୍ରାଇମ୍ବ୍ରାଞ୍ଚ ମଧ୍ୟବର୍ତ୍ତିକାଳୀନ ଚାର୍ଜଶିଟ୍ ଦାଖଲ କରିଥିଲା।
ସୂଚନାଯୋଗ୍ୟ, ଗତ ବର୍ଷ ଫେବୃୟାରୀରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସୌମ୍ୟଙ୍କ ସ୍ତ୍ରୀ ରୀମାରାଣୀ ଗୁରୁତର ଆହତ ହୋଇଥିଲେ। କଲେଜ ଅଧ୍ୟକ୍ଷ ପଦକୁ ନେଇ ପୁଞ୍ଜିଲାଲ୍ ଓ ସୌମ୍ୟଙ୍କ ମା’ଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ଏଥିଯୋଗୁ ପୁଞ୍ଜିଲାଲ୍ ଏଭଳି ଭୟାନକ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ପୁଞ୍ଜିଲାଲ ପାଟଣାଗଡ଼ ଜେଲରେ ଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଧରି ସେଠାରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ।