ବନ୍ଦେ ଭାରତ ଏକ୍ସପ୍ରେସ୍: ଯାତ୍ରୀଙ୍କୁ ମିଳିବ ସ୍ୱାଦିଷ୍ଟ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ପଞ୍ଚ ତାରକା ହୋଟେଲ୍ର ରାତ୍ରୀ ଭୋଜନ
1 min read
ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସେମି-ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଉଦ୍ଘାଟନ କରିବେ। ଦିଲ୍ଳୀରୁ ବାରଣରସି ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ଟି ସମୁଦାୟ ୭୫୫ କିଲୋମିଟର ଯାତ୍ରା ମଧ୍ୟରେ କେବଳ କାନପୁର ଓ ପ୍ରୟାଗରାଜ ଷ୍ଟେସନ୍ରେ ଅଟକିବ। ତେବେ, ଏହି ଟ୍ରେନ୍ରେ ମିଳିବାକୁ ଥିବା ଖାଦ୍ୟର ତାଲିକା ଏବେ ସଭିଙ୍କୁ ଚକିତ କରିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ‘ଏଣିକି ଯାତ୍ରୀମାନେ ସ୍ୱାଦିଷ୍ଟ ମଫିନ୍, ପେଟିସ୍ ଆଦି ଖାଦ୍ୟ ସକାଳ ଜଳଖିଆରେ ଖାଇବାର ସୁଯୋଗ ପାଇବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ସେମାନଙ୍କ ସକାଶେ ଆହ୍ଲାବାଦ୍ରେ ନୂଆ କରି ହେବାକୁ ଥିବା ଏକ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ବରାଦ ହୋଇ ଆସିବ। ଏହାବ୍ୟତୀତ ଯାତ୍ରୀମାନେ ରାତ୍ର ଭୋଜନ ପାଇଁ କାନପୁରର ଏକ ପଞ୍ଚ ତାରକା ହୋଟେଲ୍ରୁ ଖାଦ୍ୟ ଖାଇବାର ସୁଯୋଗ ପାଇବେ।’
ଉଲ୍ଲେଖଯୋଗ୍ୟ, ନିକଟରେ ଜାଣିବାକୁ ମିଳିଥିଲା ଯେ ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ଦିଲ୍ଳୀରୁ ବାରଣରସି ପର୍ଯ୍ୟନ୍ତ ଏସି ଚ୍ୟାୟାର କାର୍ରେ ଯିବା ପାଇଁ ଦେବାକୁ ପଡ଼ିବ ୧୮୫୦ ଟଙ୍କା। ଏକ୍ଜିକ୍ୟୁଟିଭ୍ କ୍ଲାସ୍ର ଭଡ଼ା ରହିଛି ୩୨୨୦ ଟଙ୍କା। ଏଥିରେ କ୍ୟାଟରିଂ ଚାର୍ଜ ବି ସାମିଲ୍ ରହିଛି।
ସେହିପରି ଫେରିବା ବେଳେ ଏସି ଚ୍ୟାୟାର କାର୍ ଟିକେଟ୍ ଦର ୧୭୯୫ ଟଙ୍କା ହେବାକୁ ଥିବା ବେଳେ ଏକ୍ଜିକ୍ୟୁଟିଭ୍ କ୍ଲାସ୍ର ଭଡ଼ା ହେବ ୩୭୭୦ ଟଙ୍କା। ବନ୍ଦେ ଭାରତ ଏକ୍ସପ୍ରେସ୍ର ଭଡ଼ା ସମାନ ଦୂରତା ଏସି ଚ୍ୟାୟାର କାର୍ ପାଇଁ ଶତାବ୍ଦୀ ଏକ୍ସପ୍ରେସଠାରୁ ୧.୫ ଗୁଣ ବେଶି ଓ ଏକ୍ଜିକ୍ୟୁଟିଭ୍ କ୍ଲାସ୍ର ଭଡ଼ା ଶତାବ୍ଦୀ ଏକ୍ସପ୍ରେସ୍ଠାରୁ ୧.୪ ଗୁଣା ଅଧିକ।