Thu. Nov 21st, 2024

ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

1 min read
Spread the love

ଭୁବନେଶ୍ୱର: ସୋସିଆଲ ମିଡିଆରେ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ ତେବେ ତାହାକୁ ସେହି ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚରେ ଯୋଡ଼ା ଯିବ। ଭାରତର ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା  ୬ଜଣିଆ ଟିମ୍‌ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ଶୁକ୍ରବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲାଭାସା କହିଛନ୍ତି ଯେ, ବିଭିନ୍ନ ଆପ୍‌ ନିର୍ବାଚନ ଉପରେ କଡା ନଜର ରଖିବ। ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ପାଇଁ ଭାରତର ନିର୍ବାଚନ କମିଶନ  ସୂଚନା ପ୍ରଯୁକ୍ତି ବିଦ୍ୟାର ସାହାର ନେଇଛନ୍ତି। ବିଭିନ୍ନ ଆପ୍‌ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ, ପ୍ରାର୍ଥୀମାନଙ୍କର ପ୍ରଚାର ଖର୍ଚ୍ଚ ଏବଂ ମତଦାନ ଆଦିକୁ ସିଧାସଳଖ ନିୟନ୍ତ୍ରଣ କରିବେ। ସମାଧାନ, ସୁବିଧା, ସିଭିଜିଲ ଆପ୍‌, ମୋବାଇଲ ଆପ୍‌, ଭୋଟର ହେଲ୍‌ପ ଲାଇନ ଆପ୍‌, ପିଡବ୍ଲ୍ୟୁଡି ଆପ୍‌, ଅବଜରଭର ଆପ୍‌ଗୁଡିକୁ ବ୍ୟବହାର କରାଯିବ। ରାଜନୈତିକ ଦଳ କିମ୍ବା ଜନସାଧାଣ ସରକାରୀ କର୍ମଚାରୀଙ୍କ ଉପରେ ନିର୍ଭର ନ କରି  ନିଜର ଅଭିଯୋଗ ସମାଧାନ  ଆପ୍‌ ମାଧ୍ୟମରେ କରିପାରିବେ। ସେହିପରି ସୁବିଧା ଆପ୍‌ ସିଙ୍ଗିଲଓ୍ବିଣ୍ଡୋ ଭଳି କାର୍ଯ୍ୟ କରିବ। ଏହି ଆପ୍‌ରେ ନାମାଙ୍କନ ଦାଖଲ, ଅନୁମତି, ଭୋଟ ଗଣତି ଏବଂ ଫଳାଫଳ ପ୍ରଦର୍ଶିତ କରାଯିବ। ନିର୍ବାଚନ ଘୋଷଣା ହେବା ମାତ୍ରେ  ସିଭିଜିଲ ଆପ୍‌  ଓଡିଶାରେ କାର୍ଯ୍ୟକ୍ଷମ ହେବ। ଯେ କୌଣସି ବ୍ୟକ୍ତି ନିର୍ବାଚନ ଆରଚଣ ବିଧି ଉଲ୍ଲଂଘନ ହେଉଥିବା ଜାଣିବା ମାତ୍ରେ ଏହି ଆପ୍‌ ଜରିଆରେ ଅଭିଯୋଗ କରିପାରିବେ।

ନିର୍ବାଚନ କମିଶନ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଲାଭାସା  କହିଛନ୍ତି। ଏହି ଆପ୍‌ ଗତ ବିଧାନସଭା ନିର୍ବାଚନଗୁଡିକରେ ସଫଳତାର ସହ କାର୍ଯ୍ୟ କରିଛି। ଏହାଛଡା ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ରକ୍ଷା କରିବା ଓ  ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଓ  ପୋଲିସ ଅଧିକାରୀମାନଙ୍କୁ କମିଶନ ନିର୍ଦ୍ଦେଶ  ଦେଇଛନ୍ତି। ଯଦି କୌଣସି ଅଧିକାରୀ ଦାୟିତ୍ୱ ସମ୍ପନ୍ନ ବେଳେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ ପାଳନ ନ କରିବେ କିମ୍ବା କୌଣସି ରାଜନୈତିକ ଦଳକୁ ସମର୍ଥନ ଜଣାଇବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ସତର୍କ କରାଇ ଦେଇଛନ୍ତି। ଗତ ନିର୍ବାଚନରେ ହୋଇଥିବା ହିଂସାକାଣ୍ଡର ପଡିରହିଥିବା ମାମଲାଗୁଡିକୁ ତୁରନ୍ତ ଫଇସଲା କରିବା ସହ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)କୁ କଡାକଡି ଲାଗୁ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସମ୍ବେଦନଶୀଳ ସ୍ଥାନରେ ଆବଶ୍ୟକ ପରିମାଣର ସିଆରପିଏଫ ନିଯୁକ୍ତି ଦେବା ଓ ଅପରାଧୀମାନଙ୍କୁ ଚହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚେକ୍‌ପୋଷ୍ଟକୁ ୨୪ ଘଣ୍ଟିଆ ଭିଡିଓଗ୍ରାଫ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ନୂତନ ମତଦାତା ଓ ଦିବ୍ୟାଙ୍ଗମାନଙ୍କ ନାମ ପଞ୍ଜୀକରଣ ପାଇଁ  ଫେବୃୟାରୀ ୧୭ରୁ ୨୩ ମଧ୍ୟରେ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ ।

ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଭୋଟର ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ ରାଜନୈତିକ ଦଳ ବ୍ଲକସ୍ତରରେ ଜଣେ ଲେଖାଏ ଏଜେଣ୍ଟ ଦେବାକୁ କମିଶନ ପରାମର୍ଶ ଦେଇଛନ୍ତି।  ସମ୍ପ୍ରଦାୟ ଆଧାରରେ ଭୋଟଗ୍ରହଣ କେନ୍ଦ୍ର  ନ କରିବାକୁ କମିଶନ କଡା ଚେତାବନୀ ଦେଇଛନ୍ତି। ରାଜ୍ୟରେ ୩୦ ହଜାର ୭୯୮ଟି ସ୍ଥାନରେ ୩୭ ହଜାର ୬୦୬ ପୋଲିଂ ଷ୍ଟେଶନ ରହିଛି।  ସେହି ସବୁ ସ୍ଥାନରେ ୬୩.୧୧ ପ୍ରତିଶତ ବିଦ୍ୟୁତ୍‌ ବ୍ୟବସ୍ଥା ଥିବା ବେଳେ ୯୨.୬୦ ପ୍ରତିଶତ ର଼୍ୟାମ୍ପ, ୯୮.୫୧ ପ୍ରତିଶତ ପିଇବା ପାଣି, ୯୨.୭୮ ପ୍ରତିଶତ ପାଇଖାନା ଏବଂ ୧୦୦ ପ୍ରତିଶତ ଓ୍ବେଟିଂ ରୁମ ନିର୍ମାଣ କରାଯାଇଛି ବୋଲି କମିଶନ ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଭୋଟ କେନ୍ଦ୍ରକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ଓ ବାହୁବଳକୁ ରୋକିବା  ପାଇଁ କଡା ପଦକ୍ଷେପ ନେବାକୁ ନିର୍ବଚାନ ଅଧିକାରୀମାନଙ୍କୁ କମିଶନ ପରାମର୍ଶ ଦେଇଛନ୍ତି। ପେଡ୍‌ ନ୍ୟୁଜ ଉପରେ ସତର୍କ ଦୃଷ୍ଟି ରଖିବାକୁ ମିଡିଆ ସାର୍ଟିଫିକେଶନ କମିଟି ମେମ୍ବରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ପୂର୍ବରୁ ଲଗାଯାଇଥିବା ହୋର୍ଡିଂଗୁଡିକୁ ତୁରନ୍ତ ହଟାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଥମ ଥର ଲାଗି ସମସ୍ତ ବୁଥରେ ଭିଭିପାଟ୍‌ ମେଶିନ ବ୍ୟବହାର କରାଯିବ। ଏହାଦ୍ୱାରା ମତଦାତା କାହାକୁ ଭୋଟ ଦେଲେ ଜାଣିପାରିବେ। ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି କମ୍‌ରେ ଗୋଟିଏ ମହିଳା ବୁଥ୍‌ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ସେହି ବୁଥ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଯେତେ ଅଧିକ ମହିଳା ବୁଥ କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କମିଶନଙ୍କ ଟିମ୍‌ ଦୁଇଦିନ ଧରି  ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ପ୍ରଶାସନ ସହ ନିର୍ବଚାନ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ରାଜନୈତିକ ଦଳଗୁଡିକ ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ନେଇଥିବା କମିଶନର ସୂଚନା ଦେଇଥିଲେ। 

ଆଲୋଚନା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରାଶାସନିକ  କଳ, ବାହୁବଳ  ଓ ଅର୍ଥ କାରବାରକୁ ରୋକିବା ସହ  ନିର୍ବାଚନକୁ ନିରପେକ୍ଷ ଓ ହିଂସାମୁକ୍ତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ବିଭିନ୍ନ ରାଜନୈତିକ ଦଳ  କମିଶନଙ୍କ ନିକଟରେ ଦାବି କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ  ସ୍ଥିତି ପରଖିବା ସହ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ  ଭାରତର ନିର୍ବାଚନ କମିଶନର ଲାଭାସାଙ୍କ ନେତୃତ୍ୱରେ  ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ୬ ଜଣିଆ ପ୍ରତିନିଧିଦଳ ରାଜନୈତିକ ଦଳ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଗୁରୁବାର ଆଲୋଚନା କରିଥିଲେ। ବୈଠକରେ ଭାଜପା, କଂଗ୍ରେସ, ବିଜେଡି, ସିପିଆଇ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ସାମିଲ ହୋଇ ନିଜର ପକ୍ଷ ରଖିବା ସହିତ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ କମିଶନଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ମାଓବାଦୀ ପ୍ରବଣ, ରାଜନୈତିକ ହିଂସା ଓ ସମ୍ବେଦଳଶୀଳ ବୁଥ୍‌ଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ  ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି। 

Copyright © All rights reserved.