Fri. Nov 22nd, 2024

ଆୟକର ଛାଡ ସୀମା ବୃଦ୍ଧି ଆଶା

1 min read
Spread the love

ନୂଆଦିଲ୍ଲୀ,୩୧-୧: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟର ଅଧିବେଶନ ଆରମ୍ଭ ହେଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଫେବୃୟାରୀ ପହିଲାରେ ବଜେଟ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ଅର୍ଥବ୍ୟବସ୍ଥା ଏବେ ମଧ୍ୟ ଟ୍ରାକକୁ ଫେରି ନାହିଁ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ବଜେଟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ନେଇ ବଜାର ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଚାହିଦା ଖସିବା ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଖସିଛି। ଏଭଳି ସ୍ଥିତିରେ ଚାହିଦା ବଢାଇବା ଲାଗି ସରକାର ପଦକ୍ଷେପ ହାତକୁ ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ କୁହନ୍ତି। ଅପରପକ୍ଷରେ ଲୋକଙ୍କ ନିକଟକୁ ଅଧିକ ଅର୍ଥ ଆସିଲେ ସେମାନେ ଖର୍ଚ୍ଚ କରିବେ ଏବଂ ଆର୍ଥତ୍କ କାର୍ଯ୍ୟକଳାପ ବଢିବ ବୋଲି କିଛି ଅର୍ଥନୀତିଜ୍ଞ ମତ ରଖିଛନ୍ତି। ବଜେଟରେ ଆୟକର ଛାଡ ସୀମା ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିପାରନ୍ତି ବୋଲି ଦେଶର ଶିଳ୍ପ ଜଗତ ଆଶାବାଦୀ ରହିଛି। ଟିକସ କନସଲଟାନ୍ସି ଫାର୍ମ କେପିଏମଜି ପକ୍ଷରୁ ଏ ନେଇ ଏକ ସର୍ଭେ ହୋଇଥିଲା। ଏଥିରେ ୧୮ କ୍ଷେତ୍ରରେ କାର୍ଯ୍ୟରତ ୨୧୯ କମ୍ପାନୀଙ୍କୁ ସାମିଲ କରାଯାଇଥିଲା। ସର୍ଭେରେ ୭୮% କମ୍ପାନୀ କହିଛନ୍ତି ଯେ, ଆୟକର ଛାଡର ବର୍ତ୍ତମାନ ସୀମା ୨.୫ ଲକ୍ଷରୁ ବଢିଯିବ। ୩୦% ଟିକସ ଲାଗୁ ହେଉଥିବା କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ୭୨% ଆଶା ରଖିଛନ୍ତି। ଏ କ୍ଷେତ୍ରରେ ନିମ୍ନ ସୀମାରେ ବୃଦ୍ଧି ଘଟିପାରେ ବୋଲି ସେମାନେ ମତ ଦେଇଛନ୍ତି। ଏବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ ହେଉଛି। ୮୨% ମତ ଦେଇଛନ୍ତି ୮୦ସିରେ ଡିଡକସନ ବଢିପାରେ। ୫୩%ଙ୍କୁ ଷ୍ଟାଣ୍ଡାର୍ଡ ଡିଡକସନରେ ବୃଦ୍ଧି, ୪୪%ଙ୍କୁ ଏଚ୍‌ଆର୍‌ଏ ଭଳି ଟିକସ ମୁକ୍ତ ଭତ୍ତା କ୍ଷେତ୍ରରେ ବୃଦ୍ଧି ଭଳି ଆଶା ରହିଛି।

ସେହିଭଳି ୫୩% କମ୍ପାନୀଙ୍କ କହିଛନ୍ତି, ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଉପରେ ଟିକସ ହଟିବାର ଆବଶ୍ୟକତା ରହିଛି। ଘରାଇ କମ୍ପାନୀ ବାଦ ବିଦେଶୀ କମ୍ପାନୀଙ୍କ ଲାଗି ଟିକସ ହ୍ରାସ ଉପରେ ସରକାର କାମ କରନ୍ତୁ ବୋଲି ଅନେକେ ମତ ରଖିଛନ୍ତି। ଇନହେରିଟାନ୍ସ ଟିକସ ଉପରେ କୌଣସି ଘୋଷଣା ଆସିବ ନାହିଁ ବୋଲି ଅନେକଙ୍କର ମତ ରହିଛି। କମ୍ପାନୀଙ୍କ ଉପରେ ଲାଗୁ ହେଉଥିବା ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ ଉଚ୍ଛେଦ ହେଉବୋଲି ୫୪% ମତ ରଖିଛନ୍ତି। ୫୦% କମ୍ପାନୀ ସେଜ୍‌ ଅନ୍ତର୍ଗତ ଟିକସ ରିହାତିର ସମୟ ମାର୍ଚ୍ଚ ୨୦୨୦ ପରେ ମଧ୍ୟ ବଢିବ ବୋଲି ଆଶାଦାବି ଅଛନ୍ତି। ସିକ୍ୟୁରିଟି ଟ୍ରାଞ୍ଜାକଶନ ଟିକସ ହଟିବା ନେଇ ୪୨% ମତ ଦେଇଥିବା ବେଳେ ବିଦେଶୀ କମ୍ପାନୀ ଉପରେ ଟିକସ ହ୍ରାସ ହେବା ନେଇ ୫୨% ଏବଂ ଇ-ଆସେସମେଣ୍ଟ ସ୍କିମ ଦ୍ୱାରା ଟାକ୍ସ କ୍ଷେତ୍ରରେ ପାରଦର୍ଶିତା ବଢିବ ବୋଲି ୬୮% ମତ ଦେଇଛନ୍ତି। ସେହିଭଳି ୭୦% କହିଛନ୍ତି ଯେ, ଇ-ଆସେସମେଣ୍ଟ ଦ୍ୱାରା ଟିକସଦାତା ଫାଇଦା ଲାଭ କରିବେ।

Copyright © All rights reserved.