Sun. Feb 23rd, 2025

ଚେତାଇଲା ଆମେରିକା, ଚୀନର ଓବିଓଆର(OBOR) ପ୍ରୋଜେକ୍ଟରେ ବିପଦରେ ଅନେକ ଦେଶର ସାର୍ବଭୌମ

1 min read
Spread the love

ଓ୍ଵାଶିଂଟନ,ଜାନୁଆରୀ :  ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡ୍(OBOR) ପ୍ରୋଜେକ୍ଟରେ ବିପୁଳ ମାତ୍ରାରେ ନିବେଶ କରି ଅନ୍ୟ ଦେଶ ମାଟିରେ ନିଜର ସୈନ୍ୟ କ୍ଷମତା  ବଢାଇବାକୁ ଚେଷ୍ଟା ଚଳାଇଛି। ଚୀନର ଏହି ମହତ୍ଵାକାଂକ୍ଷୀ କରିଡର ଯେଉଁ ଦେଶ ଦେଇ ଗତି କରିବ  ସେହି ଦେଶ ଉପରେ  ନକରାତ୍ମକ ଆର୍ଥିକ ପ୍ରଭାବ ପଡ଼ିବ ଏବଂ ଉକ୍ତ ଦେଶର ସାର୍ବଭୌମ ମଧ୍ୟ ବିପଦରେ ପଡ଼ିବ। କାରଣ ଏହି ପ୍ରୋଜେକ୍ଟ ଜରିଆରେ ଚୀନ ଅନ୍ୟ ଦେଶକୁ ଅର୍ଥ ଦେଇ ଋଣ ଜାଲରେ ଫସାଇବାକୁ ଚେଷ୍ଟା ଚଳାଇଛି। ଏହାକୁ ନେଇ ଦେଶଗୁଡିକୁ ସତର୍କ କରାଇଛି  ଆମେରିକା ପ୍ରତିରକ୍ଷା  ମନ୍ତ୍ରଣାଳୟ।

ଚୀନ ନିଜର ଏହି ଡ୍ରିମ ପ୍ରୋଜେକ୍ଟ ଜରିଆରେ ଅନ୍ୟ ଦେଶଗୁଡିକରେ ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଚୀନର ଏହି ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା। ଏଥିରେ ଅନ୍ୟ ଦେଶର ସାର୍ବଭୌମ ମଧ୍ୟ ବିପଦରେ ପଡ଼ିବ। ତେଣୁ ଆମେରିକା ଓ ଏହାର ସହଯୋଗୀ ଦେଶର ରକ୍ଷା ନୀତିକୁ ନେଇ ଏହା ଏବେ ଚିନ୍ତାଜନକ ବିଷୟ ପାଲଟିଛି।  ବିଶ୍ଵରେ ବଢୁଥିବା ଚୀନର ପ୍ରାର୍ଦୁଭାବ ଆମେରିକା ଉପରେ ପ୍ରଭାବ ଶୀର୍ଷକକୁ ନେଇ ଗତ ୨୪ ଘଣ୍ଟାରେ  ପେଣ୍ଟାଗନର ଏହା ଦ୍ଵିତୀୟ ରିପୋର୍ଟ।

ରିପୋର୍ଟରେ କୁହାଯାଇଛି ଯେ  ଓ୍ଵାନ ବେଲ୍ଟ ଓ୍ଵାନ ରୋଡ ଆଧାରରେ କିଛି ନିବେଶ ହେବ ଏବଂ ଏଥିରେ  ଚୀନର ସୈନ୍ୟ ଶକ୍ତି ବୃଦ୍ଧିରେ ସହାୟକ ହେବ। ଏହା ସହିତ ଚୀନ ବିଦେଶୀ  ବନ୍ଦର ଉପରେ ମଧ୍ୟ ନଜର ପକାଇଛି। ଭାରତ ମହାସାଗର, ଭୂମଧ୍ୟ ସାଗର ଓ ପ୍ରଶାନ୍ତ ମହାସାଗରରେ ନିଜର ନୌସେନା କ୍ଷମତା  ବଢାଇବାକୁ ଚୀନ ଚେଷ୍ଟା ଚଳାଇଛି। 

ପେଣ୍ଟାଗନ ନିଜର ରିପୋର୍ଟରେ  ଏମିତି ୧୭ ମାମଲା ଉଲ୍ଲେଖ କରିଛି, ଯେଉଁଥିରେ  କୁହାଯାଇଛି ଯେ  କେମିତି ଚୀନ ନିବେଶ କରି ଅନ୍ୟ ଦେଶକୁ ନିଜ କବଳରେ ଟାଣିବାକୁ ଚେଷ୍ଟା କରୁଛି। ଏହା ସହିତ ଯେଉଁ ଦେଶ ଚୀନର ଏହି ପ୍ରକଳ୍ପରେ ଭାଗିଦାରୀ ହେଉଛନ୍ତି ସେହି ଦେଶର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ୁଛି। ଏହା ସହିତ ଚୀନ  ଅନ୍ୟ ଦେଶର ନିଷ୍ପତ୍ତିରେ ଭିଟୋ  ପାଓ୍ଵାର ହାସଲ କରିବାକୁ ଚାହୁଁଛି। ଏହି ସ୍ଥିତି ଆମେରିକାର କିଛି ସହଯୋଗୀ ଦେଶ ସହିତ ମଧ୍ୟ ରହିଛି। ଯାହା ୟୁଏସ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। 

Leave a Reply

Your email address will not be published.

Copyright © All rights reserved.