Mon. Feb 24th, 2025

ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା

1 min read
Spread the love

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ୟତମ ଘରୋଇ ହସ୍ପିଟାଲ ‘ଆପୋଲୋ’ରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟଣା ନେଇ ଅଗ୍ନିଶମ ଡିଜି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାଂଚଳ ରେଂଜ ଫାୟାର ଅଫିସର ଘଟଣାର ତଦନ୍ତ କରିବେ। ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ତଦନ୍ତ କରାଯିବ। ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ, ହାଉସ କିପିଙ୍ଗ ବ୍ୟବସ୍ଥା ତଦନ୍ତ ହେବ। ଯଦି କୌଣସି କ୍ଷେତ୍ରରେ ଅବହେଳା ହୋଇଥାଏ, ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ କମିସନର ସତ୍ୟଜିତ ମହାନ୍ତି ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସୂଚନାଯୋଗ୍ୟ, ଆପୋଲୋ ହସ୍ପିଟାଲ ୫ମ ମହଲାରେ ନିଆଁ ଲାଗିବା ପରେ ଏହି ମହଲାରେ ଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ ଏହାର ସିଇଓ ସୂଚନା ଦେଇ କହିଛନ୍ତି, ଦିନ ୧୦ଟାରେ ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟରୁ ବାହାରିଥିଲା ଧୂଆଁ । ଏହା ପରେ ବିଜୁଳି ସଂଯୋଗ କାଟି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ପଞ୍ଚମ ମହଲାରେ ଆଇସିୟୁରେ ଥିବାର ରୋଗୀଙ୍କୁ ହୁଇଲ ଚେୟାର ଓ ଷ୍ଟ୍ରେଚର ମାଧ୍ୟମରେ  ତଳ ମହଲାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର, ହସ୍ପିଟାଲ କର୍ମଚାରୀ, ରୋଗୀଙ୍କ ସଂପର୍କୀୟ ଓ ଅଗ୍ନିଶମ ବାହିନୀ ସହାୟତାରେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା ।

ଏହି ଅଗ୍ନିକାଣ୍ଡ ଘଟଣାରେ କେହି ଗୁରୁତର ହୋଇନାହାନ୍ତି । ତଥାପି ୧୫ ଜଣ ରୋଗୀଙ୍କୁ ଭୁବନେଶ୍ୱରର ଆମ୍ରି, କଳିଙ୍ଗ ହସ୍ପିଟାଲ,କେୟାର ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସମସ୍ତ ସହଯୋଗ କରିଛନ୍ତି ବିଭିନ୍ନ ହସ୍ପିଟାଲ୍ । ତେବେ କେଉଁ କାରଣରୁ ସଟସର୍କିଟ ହେଲା ତାହାର ଯାଞ୍ଚ କରାଯିବ । ଏପରିକି ଅଗ୍ନି ନିର୍ବିପାକ ନିୟମକୁ ହସ୍ପିଟାଲ କଡାକଡି ପାଳନ କରୁଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Copyright © All rights reserved.