ପ୍ରଣବ, ନାନାଜୀ ଓ ଭୂପେନ୍ଙ୍କୁ ଭାରତରତ୍ନ
1 min readନୂଆଦିଲ୍ଲୀ,: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଭାରତୀୟ ଜନସଂଘ ନେତା ତଥା ସାମାଜିକ କର୍ମୀ ନାନାଜୀ ଦେଶମୁଖ୍ ଏବଂ ବିଶିଷ୍ଟ ଗାୟକ ଭୂପେନ୍ ହଜାରିକାଙ୍କୁ ମରଣୋତ୍ତର ଭାବେ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ ଲାଗି ମନୋନୀତ କରାଯାଇଛି।
୨୦୧୨ରୁ ୨୦୧୭ ଭାରତର ରାଷ୍ଟ୍ରପତି ଥିବା ପ୍ରଣବ ଜଣେ ରାଷ୍ଟ୍ରନେତା ଭାବେ ଜଣାଶୁଣା। ସେ ନିଃସ୍ବାର୍ଥପର ତଥା ଅବିଶ୍ରାନ୍ତ ଭାବେ ବହୁ ଦଶନ୍ଧି ଧରି ଦେଶର ସେବା କରିଆସିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ରାଷ୍ଟ୍ରନେତା ଭାବେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଣବଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ ଲାଗି ମନୋନୀତ କରାଯାଇଛି। ତାଙ୍କର ଜ୍ଞାନ ଏବଂ ବୁଦ୍ଧିମତ୍ତା ସହ କ୍ୱଚିତ୍ ତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଟୁଇଟ୍ କରିଛନ୍ତି। ସେହିପରି ହାଜାରିକାଙ୍କ ସଙ୍ଗୀତ ବହୁ ପିଢ଼ିର ଲୋକଙ୍କ ଦ୍ୱାରା ଆଦୃତ। ତାଙ୍କ ସଙ୍ଗୀତରୁ ନ୍ୟାୟ, ସଦ୍ଭାବନା ଏବଂ ଭ୍ରାତୃଭାବର ବାର୍ତ୍ତା ପରିସ୍ଫୁଟ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭୂପେନଦା’ଙ୍କୁ ଭାରତରତ୍ନ ପାଇଁ ମନୋନୀତ କରାଯାଇଥିବାରୁ ସେ ଆନନ୍ଦିତ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି। ସେହିପରି ଗ୍ରାମାଞ୍ଚଳର ବିକାଶରେ ଦେଶମୁଖଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।