ଆଇଏମ୍ଏଫ୍ ରିପୋର୍ଟ:ଦକ୍ଷିଣ ଏସିଆ ବିକାଶ କେନ୍ଦ୍ର ଏବଂ ଭାରତ ନେବ ନେତୃତ୍ବ
1 min read
ନୂଆଦିଲ୍ଲୀ : ବିଶ୍ବର ଅର୍ଥନୈତିକ ବିକାଶରେ ଦକ୍ଷିଣ ଏସିଆ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତର ନେତୃତ୍ବରେ ଦକ୍ଷିଣ ଏସିଆ ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ। ୨୦୪୦ ସୁଦ୍ଧା ବିଶ୍ବର ବିକାଶରେ ଦକ୍ଷିଣ ଏସିଆର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ବିଶ୍ବ ଅଭିବୃଦ୍ଧିରେ ଏହି ଅଞ୍ଚଳର ଯୋଗଦାନ ୨୦୪୦ ସୁଦ୍ଧା ଏକ ତୃତୀୟାଂଶ ରହିପାରେ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ କୁହାଯାଇଛି। ତେବେ ଆଇଏମ୍ଏଫ୍ର ନକ୍ସାରେ ଯେଉଁସବୁ ଦେଶକୁ ନେଇ ଦକ୍ଷିଣ ଏସିଆର ବର୍ଣ୍ଣନା କରାଯାଇଛି ସେଥିରେ ପାକିସ୍ତାନ ଏବଂ ଆଫଗାନିସ୍ଥାନକୁ ସାମିଲ କରାଯାଇନାହିଁ। ଦକ୍ଷିଣ ଏସିଆରେ ଭାରତ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଭୁଟାନ ଏବଂ ମାଳଦୀପ ରହିଛନ୍ତି। ‘ଉପରକୁ ଉଠିବା ପାଇଁ ଦକ୍ଷିଣ ଏସିଆ ପ୍ରସ୍ତୁତ କି? ଏକ ନିରନ୍ତର ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି କାର୍ଯ୍ୟସୂଚୀ’ ଶୀର୍ଷକରେ ଆଇଏମ୍ଏଫ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ସୋମବାର ଏହି ରିପୋର୍ଟ ନୂଆଦିଲ୍ଲୀରେ ଉନ୍ମୋଚନ ହେବ।
ଉକ୍ତ ରିପୋର୍ଟ ଉନ୍ମୋଚନର ଅବ୍ୟବହିତ ପୂର୍ବରୁ ଆଜି ଆଇଏମ୍ଏଫ୍ର ଡେପୁଟି ଡାଇରେକ୍ଟର ଏନି ମେରି କହିଛନ୍ତି, ବିକାଶର ଗତି ଏସିଆର ଅନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଏସିଆରେ ଅଧିକ ରହିବ। ଦକ୍ଷିଣ ଏସିଆ ବିଶ୍ବ ବିକାଶର କେନ୍ଦ୍ର ପାଲଟିବ। ଆଇଏମ୍ଏଫ୍ର କହିବାନୁଯାୟୀ, ୨୦୩୦ ସୁଦ୍ଧା ଏହି ଅଞ୍ଚଳରେ ୧୫ କୋଟିରୁ ଅଧିକ ଲୋକ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ହୋଇଯିବେ। ଏହି ଯୁବବର୍ଗ ଦକ୍ଷିଣ ଏସିଆର ଶକ୍ତି ପାଲଟିବେ ବୋଲି ସେ କହିଛନ୍ତି। ତେବେ ଭାରତକୁ ମାନୁଫାକଚରିଂ କ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କାରଣ ଏହି କ୍ଷେତ୍ର ଆଶାନୁରୂପ ଆଗକୁ ବଢ଼ୁନାହିଁ ବୋଲି ମେରି କହିଛନ୍ତି। ଘରୋଇ କ୍ଷେତ୍ରର ବିକାଶ ଲାଗି ଭାରତକୁ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ହେବ। ଏଥିସହିତ ଲୋକଙ୍କ କ୍ଷମତାର ଉପଯୋଗ ପାଇଁ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏହାବ୍ୟତୀତ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷାର ମାନରେ ଆହୁରୁ ଉନ୍ନତି ଆଣିବାକୁ ହେବ। ଆଇଏମ୍ଏଫ୍ର ସୁପାରିସ ଅନୁଯାୟୀ ସଂସ୍କାରକୁ କାର୍ଯ୍ୟକାରୀ କରାଗଲେ କ୍ରୟ ଶକ୍ତି ସମତା ମୂଲ୍ୟରେ ଭାରତର ଆୟ ଆମେରିକା ଆୟ ସ୍ତରର ପ୍ରାୟ ୪୫ ପ୍ରତିଶତ ସ୍ତରରେ ପହଞ୍ଚିବ।