Thu. Nov 21st, 2024

ନିରୋଗ ରହିବାକୁ ଚାହାନ୍ତି? – ଖାଆନ୍ତୁ ଏହି ପ୍ରାକୃତିକ ଖାଦ୍ୟ

1 min read
Spread the love

ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ।

ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା ଗହମର ଉପକାରିତା ନେଇ ଏବେ ମଧ୍ୟ ଗବେଷଣା ଜାରି ରହିଛି।

ଗଜା ଗହମ ଖାଇବାର ଲାଭ

୧. ଗଜା ଗହମରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ E ରହିଥାଏ। ଏହା ଦ୍ୱାରା ମସ୍ତିଷ୍କ, ଲିଭର ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ନୂଆ ରକ୍ତକୋଷ ତିଆରି କରିବାରେ ସହାୟକ ହୋଇଥାଏ। ଗହମ ଯେତେବେଳେ ଗଜା ହୋଇଯାଏ ସେଥିରେ ଭିଟାମିନ୍‌ E ପରିମାଣ ୩୦୦ ପ୍ରତିଶତ ବୃଦ୍ଧି ପାଏ।

୨.ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆମର ତ୍ୱଚା ଓ ଚୁଟିର ଔଜଲ୍ୟ ବୃଦ୍ଧି ପାଏ। ହାଡ଼ ଶକ୍ତ ରହିଥାଏ।

୩.ଏହା  କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ରକ୍ତ ପରିଷ୍କାର କରିଥାଏ।

୪.ଏଥିରେ ଥିବା ଫାଇବର ପାଚନ ଜନିତ ସମସ୍ୟା ଦୂର କରିଥାଏ। ପାଚନ ଜନିତ ସମସ୍ୟା ଥିବା ଲୋକ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ। ଏହା ଏସିଡିଟି ମଧ୍ୟ କମ୍‌ କରିଥାଏ।

୫. ଅଙ୍କୁରିତ ଗହମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌-A ,B ଏବଂ C ରହିଥାଏ। ଏହା ସହ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଏବଂ ଜିଙ୍କ୍‌ ମଧ୍ୟ ରହିଥାଏ। ଗହମ ଗଜା ହେବା ପରେ ଏଥିରେ ଭିଟାମିନ୍‌ C ପରିମାଣ ୬୦୦ ପ୍ରତିଶତ ଓ ଭିଟାମିନ୍‌ B ପରିମାଣ ୧୦୦୦ ପ୍ରତିଶତ ବୃଦ୍ଧି ପାଏ।

୬.ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆପଣ ଯଦି ଅଳ୍ପ କାମରେ ହାଲିଆ ହୋଇଯାଉଛନ୍ତି ତେବେ ପ୍ରତିଦିନ ହାଲୁକା ବ୍ୟାୟାମ କରିବା ସହ ଗଜା ଗହମ ଖାଆନ୍ତୁ। ଦେଖିବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।

୭. ଗହମରେ ଭିଟାମିନ୍ B-17 ରହିଛି। ଗଜା ହୋଇଯିବା ପରେ ଭିଟାମିନ୍‌ B-17 ପରିମାଣ ୧୦୦ ପ୍ରତିଶତ ବଢ଼ିଯାଏ। B-17 ଶରୀରକୁ କ୍ୟାନସରରୁ ସୁରକ୍ଷା ଦିଏ।

ଏକ ଗିନା ଗଜା ଗହମ ଆପଣଙ୍କ ଜଳଖିଆରେ ସାମିଲ କରନ୍ତୁ। ଦେଖିବେ ଏହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଠାରୁ ଦୂରରେ ରଖିବ।

ଗହମ କିପରି ଗଜା କରିବେ

ଗହମ ଗଜା କରିବାର ପ୍ରଣାଳୀ ଅତି ସହଜ, କିନ୍ତୁ ଗଜା ହେବାକୁ ଦୁଇ ତିନି ଦିନ ସମୟ ଲାଗିବ। ବଜାରରୁ ଉତ୍ତମମାନର ଗହମ କିଣନ୍ତୁ। ଏହାକୁ ରାତିସାରା ୮ରୁ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ପରେ ଏହାକୁ ଛାଣି କପଡ଼ାରେ ବାନ୍ଧି ରଖନ୍ତୁ। ୮ରୁ ୧୦ ଘଣ୍ଟା ପରେ ତାକୁ ଆଉ ଥରେ ଧୋଇ ଦେଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ। ଦିନକୁ ଦୁଇଥର ଦୁଇ ଦିନ ପର୍ଯ୍ୟନ୍ତ ଏପରି ଗହମକୁ ଧୋଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ। କପଡ଼ା ଢିଲା କରି ବାନ୍ଧିବେ ଯେମିତି ବାୟୁ ଚଳାଚଳ ହୋଇପାରୁଥିବ। କିନ୍ତୁ ସୂର୍ଯ୍ୟାଲୋକଠାରୁ ଦୂରେଇ ରଖିବେ। ଧୀରେ ଧୀରେ ଗହମ ଗଜା ହେବାକୁ ଲାଗିବ। ଅଧ ଇଞ୍ଚ ପର୍ଯ୍ୟନ୍ତ ଗଜା ହେଲେ ଏହାକୁ ଖାଇପାରିବେ।

ବଜାରରେ ସ୍ପ୍ରାଉଟ୍‌ ମେକର ଉପଲବ୍ଧ ହେଉଛି।  ଆମାଜନ୍‌, ଫ୍ଲିପ୍‌କାର୍ଟ, ସପ୍‌କ୍ଲୁଜ୍‌ ଆଦି ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମଧ୍ୟ ଏହା ଉପଲବ୍ଧ ହେଉଛି। ଗହମକୁ ଏଥିରେ ମଧ୍ୟ ସୁବିଧାରେ ଗଜା କରିହେବ।

Leave a Reply

Your email address will not be published.

Copyright © All rights reserved.