ଘୋର ସଙ୍କଟରେ ୟେସ୍ ବ୍ୟାଙ୍କ
1 min readନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍ ବ୍ୟାଙ୍କ ଘୋର ସଙ୍କଟରେ ପଡ଼ିଯାଇଛି। ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଛନ୍ତି। ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା ୩୦ ଦିନ ଭିତରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଆଜି ଏନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଟଙ୍କା ଉଠାଣ କଟକଣା ଏକ ମାସ ପାଇଁ ଲାଗୁ କରାଯାଇଛି। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତରେ ଗ୍ରାହକମାନେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ। ନିଜର କିମ୍ବା ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ମେଡିକାଲ୍ ବାବଦ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଓ ବିବାହ କିମ୍ବା ସେହି ଧରଣର ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଧିକ ଟଙ୍କା ଉଠାଇ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ୟେସ୍ ବ୍ୟାଙ୍କର ବୋର୍ଡକୁ ରିଜର୍ଭ ବ୍ୟାଙ୍କ ତତ୍କାଳ ନିଜ ହାତକୁ ନେଇଯାଇଛି। ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ସିଏଫ୍ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଛଅ ମାସ ପୂର୍ବେ ମହାରାଷ୍ଟ୍ରର ପିଏମ୍ସି ବ୍ୟାଙ୍କ ସଙ୍କଟ ବେଳେ ଏଭଳି ପଦକ୍ଷେପ ନିଆଯାଇଥିଲା। ଗ୍ରାହକମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଭୟ କରିବାର କୌଣସି କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ଦିନ ଭିତରେ ସ୍ଥିତିକୁ ସ୍ବାଭାବିକ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ସ୍କିମ୍ ପ୍ରସ୍ତୁତ କରିବ। ତାହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ଲାଗୁ କରାଯିବ। ଗ୍ରାହକମାନେ ଯେଭଳି ୩୦ ଦିନରୁ ଅଧିକ ସମୟ ଅସୁବିଧା ସାମ୍ନା ନକରନ୍ତି ତାହାକୁ ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରୟାସ କରିବ