Sat. Apr 12th, 2025

ଗୁଗୁଲ୍ ଏଆଇ ଟେକ୍ନୋଲୋଜି ଚୋରି କରୁଥିବା ଅଭିଯୋଗରେ ଚୀନ ଇଞ୍ଜିନିୟର ଆମେରିକାରେ ଗିରଫ

1 min read
Spread the love

ଆମେରିକା ପୁଲିସ ଚୀନର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଗୁଗୁଲ୍ ଏଆଇ ଟେକ୍ନୋଲୋଜି ଚୋରି କରୁଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ଆମେରିକାର ଆଟର୍ନି ଜେନେରାଲ ମେରିକ ଗାରଲ୍ୟାଣ୍ଡ କହିଛନ୍ତି ଅଭିଯୁକ୍ତ ଇଞ୍ଜିନିୟର ଚୀନର ଦୁଇଟି କମ୍ପାନୀ ପାଇଁ ଗୁପ୍ତଭାବେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତଙ୍କୁ ଲିନଭେ ଡିଙ୍ଗ୍ ଭାବେ ଚିହ୍ନଟ କରାଯାଇଛି। ତାଙ୍କ ବିରୋଧରେ ଟ୍ରେଡ୍ ସିକ୍ରେଟ ଚୋରି କରୁଥିବାର ୪ ଅଭିଯୋଗ ଅଣାଯାଇଛି।

କାଲିଫର୍ନିଆର ନେୱାର୍କଠାରୁ ତାଙ୍କୁ ଗିରଫ କରାଯାଇଛି। ସେ ଗୁଗୁଲ୍ ନେଟୱାର୍କର କନଫିଡେନ୍ସିଆଲ ତଥ୍ୟ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ।

ଆଟର୍ନି ଜେନେରାଲ କହିଛନ୍ତି ଜଷ୍ଟିସ ଡିପାର୍ଟମେଣ୍ଟ ଏଆଇ ଏବଂ ଅନ୍ୟ ଆଡଭାନ୍ସଡ ଟେକ୍ନୋଲୋଜିର ଚୋରିକୁ ସହ୍ୟ କରିବ ନାହିଁ। ଏହା ଦେଶର ସୁରକ୍ଷା ପ୍ରତି ବିପଦ ଆଣିବାର ଆଶଙ୍କା ରହିଛି। ବିକଶିତ ହୋଇଥିବା ସମ୍ବେଦନଶୀଳ ଜ୍ଞାନକୌଶଳକୁ ଆମେରିକା ସବୁବେଳେ ସୁରକ୍ଷା ଦେବାକୁ ପ୍ରୟାସ କରିବ। କାରଣ ଏସବୁର ଦୂରୋପଯୋଗ କରାଯିବାର ଆଶଙ୍କା ରହିଥାଏ।

ଏହି ମାମଲାରେ ଏଫବିଆଇର ନିର୍ଦ୍ଦେଶକ କ୍ରିଷ୍ଟୋଫର ରେ ଚୀନର ସମ୍ପୃକ୍ତି ଥିବା କହିଛନ୍ତି। ଚୀନର କମ୍ପାନୀ ଆମେରିକା ଇନୋଭେସନ ଚୋରି କରୁଛନ୍ତି। ଏହା ଦ୍ବାରା ଆମେରିକାର ଆର୍ଥିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ,ଏହି ଅଭିଯୋଗରେ ଡିଙ୍ଗ୍ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ଅଢ଼େଇ ଲକ୍ଷ ଡଲାର ଜରିମାନା ଦେବାକୁ ପଡ଼ିବ।

୨୦୧୯ରେ ଗୁଗୁଲ୍ ଡିଙ୍ଗ୍ ଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ସେ ଗୁଗୁଲ୍ ର ସୁପରକମ୍ପ୍ୟୁଟିଙ୍ଗ ଡାଟା ସେଣ୍ଟରରେ ବ୍ୟବହାର କରାଯାଉଥିବା ସଫ୍ଟୱେର‌ ଡେଭଲପ କରିବା କାର୍ଯ୍ୟରେ ନିଯୁକ୍ତ ଥିଲେ।

Copyright © All rights reserved.