Sat. Mar 15th, 2025

କୋଭିଡ-୧୯ ପରୀକ୍ଷା ପାଇଁ ୧୨୧ଟି ସରକାରୀ ଲ୍ୟାବକୁ ଅନୁମୋଦନ କଲା ଆଇସିଏମ୍ଆର୍, ଏବେ ଦେଶରେ ଲ୍ୟାବ ସଂଖ୍ୟା ୧୫୭କୁ ବୃଦ୍ଧି

1 min read
Spread the love

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ଶୁକ୍ରବାର (ମାର୍ଚ୍ଚ ୨୭, ୨୦୨୦) ଏକ ବଡ ଘୋଷଣା କରାଯାଇଛି | ଆଇସିଏମ୍ଆର କହିଛି ଯେ ମାରାତ୍ମକ ନୋବେଲ କରୋନାଭାଇରସର ପରୀକ୍ଷା କରିବା ପାଇଁ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦିଆଯାଇଛି, ଯାହା ସାରା ବିଶ୍ୱରେ ୨୩,୦୦୦ରୁ ଅଧିକ ଲୋକଙ୍କ ଜୀବନ ଏବଂ ଭାରତରେ ୧୮ଜଣଙ୍କର ଜୀବନ ନେଇ ସାରିଛି। ଏଥିସହ ଭାରତରେ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପାଇଁ ୩୫ଟି ଘରୋଇ ଲ୍ୟାବ ରହିଛି ବୋଲି ଆଇସିଏମ୍ଆର୍ ନିଜ ୱେବସାଇଟରେ ଘୋଷଣା କରିଛି। ୩୫ଟି ଘରୋଇ ଲ୍ୟାବ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର ଏବଂ ଝାଡଖଣ୍ଡରେ ରହିଥିବା ଜଣାପଡିଛି |

ବର୍ତ୍ତମାନ ୧୨୧ଟି ସରକାରୀ ଲାବୋରେଟୋରୀକୁ ମିଶାଇ କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ପାଇଁ ଦେଶରେ ସମୁଦାୟ ଉଭୟ ବେସରକାରୀ ଏବଂ ସରକାରୀ ଲାବୋରେଟୋରୀ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି | ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଏବେ ଲାବୋରେଟୋରୀ ସଂଖ୍ୟାକୁ ବୃଦ୍ଧି କରାଯାଉଛି | ଯାହାଦ୍ୱାରା କମ ସମୟ ମଧ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରିହେବ | ଆଇସିଏମଆର ମାନଦଣ୍ଡ ଅନୁଯାୟୀ, ଜ୍ୱର, ଗଳା ଯନ୍ତ୍ରଣା, ନାକ ବହିବା, ଡିସପ୍ନୋଆ ଇତ୍ୟାଦି ଲକ୍ଷଣ ଦେଖାଗଲେ ସେମାଙ୍କର ପରୀକ୍ଷା କରାଯିବ ସହ ଯେଉଁମାନେ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇରାନ, ଇଟାଲୀ ଇତ୍ୟାଦି ପ୍ରଭାବିତ ଦେଶରୁ ଫେରିଥିବେ, ସେମାଙ୍କର ପରୀକ୍ଷା ଲାବୋରେଟୋରୀରେ କରାଯିବ | ପରୀକ୍ଷଣ ସମୟରେ ଘରୋଇ ଲ୍ୟାବଗୁଡ଼ିକୁ ଆଇସିଏମଆରର ନିୟମ ଅନୁସରଣ କରିବାକୁ ପଡିବ |

Copyright © All rights reserved.